ଭିଜାମାଟି
ଭିଜାମାଟି
ମଧୁ କଇଟଭ ମେଦରୁ ହେଲା ମେଦିନୀ ଜାତ
ମାତୃରୂପା ପଞ୍ଚଭୂତରେ ଶ୍ରେଷ୍ଠା ହେଲା ବିଖ୍ୟାତ |
କ୍ଷିତି ନାମ ବହି ପାଳିଲା ସେ ତ ସଚରାଚର
ବ୍ୟୋମ ତେଜ ବାୟୁ ଜଳକୁ ଧରି ନିଜ ସଙ୍ଗର |
ଖର ସୌର ତାପେ ସାଗର ଜଳ ହୁଏ ବାଷ୍ପୀତ
ମେଘ ରୂପେ ନଭ ଦେଶରେ ହୁଏ ପରିଶୋଭିତ |
ପଵନ ପରଶେ ଜଳୀୟବାଷ୍ପ ହୁଏ ଶୀତଳ
ଜଳକଣା ବର୍ଷା ଆକାରେ ଖସି ପଡ଼େ ଭୂତଳ |
ମିଥୁନ ସଂକ୍ରାନ୍ତି ରଜର ପର୍ବ ଶୁଭାଗମନ
ରଜସ୍ୱଳା ହୁଏ ଧରିତ୍ରୀ ଏତ ଶାସ୍ତ୍ର ବଚନ |
ପହିଲି ଆଷାଢ଼ ବରଷା ବାରି ହେଉ ପତିତ
ଭିଜାମାଟିର ସେ ବାସନା ମନ କରେ ମୋହିତ |
ଆକାଶ ପୃଥିବୀ ମିଳନ ପର୍ବ ଵିଧି ନିୟମ
ଜଳବିନ୍ଦୁ ରେତ ଭେଦନ୍ତେ ଧରା ଅମଳକ୍ଷମ |
ଅନୁକୂଳ କରେ କୃଷକ ବିହନର ବପନ
ଭୂମି ସ୍ଥିତ ବୀଜ ମଧ୍ୟରୁ ହୁଏ ଅଙ୍କୁରୋତ୍ପନ୍ନ |
ରଜପର୍ବେ ଭୂମି ପୂଜନ ହୋଇଥାଏ ସର୍ବତ୍ର
ଝିଅ ବୋହୁଙ୍କର ଏ ପର୍ବେ ଥାଏ ବଡ଼ ମହତ୍ୱ |
ଚାରିଦିନ ଏହିପରବ ଭୂ- କର୍ଷଣ ଖନନ
ଭୂଇଁ ଦଅଁଣରେ ମାଟିରେ ଚାଲିବାକୁ ବାରଣ |
ତାପକ୍ଳିଷ୍ଟା ଧରା ଉପରେ ହେଉ ବର୍ଷା ସତତ
ଭିଜାମାଟି ଗର୍ଭୁ ଉଷୁମ ବାଷ୍ପ ହୁଏ ନିର୍ଗତ |
ସେ ବାସ୍ନା ଆଘ୍ରାଣେ ପୁଲକ ଭରିଯାଏ ମନରେ
କାମଭାବ କରେ ଜାଗ୍ରତ ସର୍ବ ଜୀବ ଅନ୍ତରେ |
ହସ୍ତୀ ହସ୍ତିନୀଙ୍କ ମୃଗ ମୄଗୀ ଶ୍ଵାନଶ୍ଵାନୀ ମିଳନ
ସରୀସୃପଗଣ ଆନନ୍ଦେ କରୁଥାନ୍ତି ରମଣ |
ପରିରମ୍ଭ ପର୍ବ ବରଷା ଋତୁ ଆନନ୍ଦଦାୟୀ
ଭିଜାମାଟିର ସେ ମହକ ପ୍ରଜନନ ପ୍ରଦାୟୀ |