ଭିଜା ମାଟିର ମହକ
ଭିଜା ମାଟିର ମହକ


ମୁଁ ଏମିତି ଏକ ଉତ୍ତାଳ ଲହଡି
ଖୋଜୁଥିଲି ବେଳାଭୂଇଁ
ସାଗର ତଟରେ ତୁମ ପାଦଚିହ୍ନ
ଦେଉଥିଲା ମୋତେ ଛୁଇଁ I
ଅଳସୀ ନଈର ଅଳସ ଗୀତରେ
ଭାଙ୍ଗିଥିଲା ମୋର ନିଦ
ମନେ ପଡିଥିଲା ତୁମରି ଛୁଆଁରେ
ହଜିଥିଲା ଅବସାଦ I
ତୁମ ପାଦଚିହ୍ନ ସେଇମିତି ଅଛି
ନଈବି ଗଲାଣି ଶୁଖି
ତୁମରି ତୀର୍ଯ୍ୟକ ବାକ୍ୟବାଣେ ଆଜି
ଓଦା ମୋର ଦୁଇ ଆଖି I
ବରଷା ଭିଜୁଛି ପ୍ରୀତି ନଈକୂଳେ
ଭିଜୁଛି ହଜିଲା ଦିନ
ତୁମ କଟୁକଥା ଭିଜାଇଲା ମନ
ସ୍ମୃତି ହେଲା ପ୍ରୀତିମଗ୍ନ I
ବିସ୍ମୃତି ଗର୍ଭରେ ଲୁଚିଥିଲା ସିନା
ଅତୀତର ସବୁ ଲୁହ
ସ୍ମୃତି ପରଦାରେ ଦେଖିଥିଲି ସଖୀ
ତୁମ ହସକୁରି ମୁହଁ I
କେହିଁକି ହଜିଲା ସପନର ଘର
କିଆଁ ଭାଙ୍ଗିଦେଲ ମନ
ସ୍ମୃତିକୁ ଉଖାରି ନିଜ ରକ୍ତେ ଆଜି
ନିଜେ ମୁଁ କରୁଛି ସ୍ନାନ I