ଭଦ୍ରମୁଖା
ଭଦ୍ରମୁଖା
ସ୍ୱାର୍ଥପର ପ୍ରେମ ତୋର
ବେଇମାନି ତୁହି
ସ୍ୱାର୍ଥ ଥିଲା ମନେ ତୋର
ବୁଝିଲିନି ମୁହିଁ ।
ନିନ୍ଦଇ ମୁଁ ସେଇ ତିଥି
ସେହିଯେ ତାରିଖ
ଦେଖା ହେଲା ତୋ ସାଥେ
ନ କଲି ପରଖ ।
ପଡ଼ିଗଲି ପ୍ରେମେ ତୋର
ଛଳନା ନ ବୁଝି
ସେଥିପାଇଁ ଆଖି ଆଜି
ଗଲା ଲୁହେ ଭିଜି ।
ମାନୁଥିଲି ତୋତେ ମୁହିଁ
ପୂଜୁଥିଲି ତୋତେ
ମନ ମନ୍ଦିରରେ ସ୍ଥାନ
ଦେଇଥିଲି ତୋତେ ।
ରାମ ବେଶେ ରାବଣ ଯେ
ଆସିଥିଲୁ ତୁହି
ଚିହ୍ନି ପାରିଲିନି ତୋତେ
ନେଲୁ ମନ ମୋହି ।
ସିନ୍ଦୁର ଦେଇ କରିଲୁ
ନିଜର ତୁ ମୋତେ
ଭଲ ଲାଞ୍ଚ ଥିଲା ତାହା
ସ୍ୱାର୍ଥ ପୂର୍ତ୍ତି ଅର୍ଥେ ।
କାମନା ର ବହ୍ନି ଦେହେ
ଜଳୁଥିଲା ତୋର
ବୁଝେଇଲୁ ମନୁ ନିଆଁ
ଜାଳି ମୋ ଶରୀର ।
ଭଦ୍ରମୁଖା ପିନ୍ଧା ଏକ
ଅମଣିଷ ଥିଲୁ
ମୁଖା ତୋର ଯିବ ଖୋଲି
ଯେବେ ତୁ ଜାଣିଲୁ ।
ଧନ, ଗେହ୍ଲି କହି ଗଲୁ
ଦୁରକୁ ତୁ ଏତେ
ଖୋଜିପାଇଲିନି ତୋତେ
ଝୁରି ହେଲି କେତେ ।
ଜାଣିଲି ପଛରେ ମୁହିଁ
ତୋହରି ଛଳନା
କେତେ ଝିଅ ପ୍ରେମେ ତୋର
ହୋଇଛନ୍ତି ବଣା ।
ହାରିଗଲି ମୁହିଁ ଆରେ
ଭଲ ପାଇ ତୋତେ
ନିଜକୁ ନିଜେ ନିନ୍ଦେ ମୁଁ
ଧିକ୍କାରେ ଯେ କେତେ ।
ଅସଲ ଚେହେରା ଯେବେ
ଆସିଲା ସାମ୍ନାକୁ
ଚରିତ୍ରହୀନା ଅଟେ ମୁଁ
କହିଲୁ ସଭିଙ୍କୁ ।
କଳଙ୍କିନି ସଜେଇଲୁ
ସଭିଙ୍କ ଆଗର
ସହିପାରିଲିନି ମୁହିଁ
କଥାକୁ ତୋହର ।
ଆତ୍ମହତ୍ୟା ଉଦ୍ୟମ ମୁଁ
କରିଦେଲି ଯାଇ
ଜୀବନ କରିବି ଶେଷ
ଆଉ କାର୍ଯ୍ୟ ନାହିଁ ।
ସେତକ ବି ସହିଲୁନି
ବଂଚେଇଲୁ ମୋତେ
ଭଦ୍ରମୁଖା ପିନ୍ଧା ଶତ୍ରୁ
ଅଟଇ ତୁ ସତେ ।
ଆଉ କେବେ ମୋ ସାମ୍ନାକୁ
ଆସିବୁନି କହି
ବଂଚିବାକୁ ନିଜ ରାହା
ବାଛିଦେଲି ମୁହିଁ ।
କହିଲେ କହୁ ସମାଜ
କଳଙ୍କିନି ମୋତେ
ବଞ୍ଚିବି ତୋ ବିନା ମୁହିଁ
ଆସୁ ଦୁଃଖ ଯେତେ ।
