ଭଡ଼ାଘର
ଭଡ଼ାଘର
ପ୍ରାଚୀ ମୂଳେ ନିଶି ଅନ୍ତେ ଚଳେ ଏ ଜୀବନ
ପ୍ରିୟା ପ୍ରୀତି ଦୁଇ ଦିନ ନୟନେ ଅଞ୍ଜନ ।
ମାଟି ପିଣ୍ଡ ଭଡ଼ାଘର କେତେ ଦିନ ବନ୍ଧୁ
କାହିଁକି ରେ ବାଇମନ କର୍ମକୁ ତୁ ନିନ୍ଦୁ ।
ସଂସାର ରଥକୁ ଟାଣି ନେଉ ଥାନ୍ତି ହରି
ଘର୍ଘର ନାଦ ତ ନାହିଁ କରିବୁ ଗୁହାରି ।
ପିତା ମାତା ଜନ୍ମ ଦେବେ ଜ୍ଞାନ ଦେବେ ଗୁରୁ
ସଭିଏଁ ତ ଆପଣାର ଚିନ୍ତା କାହିଁ କରୁ ।
ସଂସାରରୁ ଚାଲି ଗଲା ଆଉ କାହିଁ ମୋହ
ମଶାଣିକୁ ଧର ଧର ପଚି ଗଲା ଦେହ ।
ଛ' ଖଣ୍ଡ ବାଉଁଶ ସଙ୍ଗେ ପାଳର ଦଉଡ଼ି
ବଳ ଦେଇ ବାନ୍ଧି ଦେବେ ଦେହ ଥିବ ପଡ଼ି ।
ମିଛ କୁମ୍ଭୀର କାନ୍ଦଣା ବାହୁନି ଉଠିବ
ତୋର ଗୁଣ କୀର୍ତ୍ତି ମାନ ଦାଣ୍ଡରେ ଭାସିବ ।
ନବ ବସ୍ତ୍ର କାଷ୍ଠ ସଙ୍ଗେ ଗେଣ୍ଡୁ ପୁଷ୍ପମାଲ୍ୟ
ଦିଶୁ ଥିବୁ ବାବା ତୁହି କେଡେ ଝଲମଲ ।
ବିନା ପରିଧାନେ ଆସି ଯିବ ହେବ ଶୁନ୍ୟ
ଭଡ଼ାଘରେ କେତେ ଦିନ ରହିବ ବା ଚିହ୍ନ ।
କୁଟୁମ୍ବ ପଡୋଶୀ ଧରି ଶୁଦ୍ଧି କ୍ରିୟା କରି
ସବୁ କିଛି ଧୋଇ ଦେବେ ମନରୁ ପାଶୋରି ।
କର୍ମ ସିନା ରହି ଯିବ ତୋର ଯେତେ ନାମେ
ଭଡ଼ାଘରେ ସ୍ଥାନ ନାହିଁ ରଖ ତୁ ମରମେ ।
କାନ୍ଥ ବାଡ଼ କେଉଁ ଠାରେ ଦେବୁ ନାହିଁ ହାତ
କିଛି ତ ପାଇବୁ ନାହିଁ ପାତିଲେ ପଣତ ।
ଅଧିକାର ଅଛି କିବା ଭଡ଼ାଘରେ କୁହ
କାହିଁକି ଜାବୁଡ଼ି ଅଛୁ ଧରି ଏତେ ଲୁହ ।
ଯେତିକି ତୁ ପ୍ରାପ୍ତି କଲୁ ଖୁସିରେ ଆଦରି
ବଞ୍ଚି ଯା' ରେ ବାଇମନ ପ୍ରଭୁ ନାମ ସ୍ମରି ।
ଆପଣାର ହୁଏ ନାହିଁ କେବେ ଭଡାଘର
ମନରୁ ପୋଛିଦେ ଧନ ତୋର ମୋର ତୋର ।