ଭବିଷ୍ୟତ
ଭବିଷ୍ୟତ
ହାତ ପାହାନ୍ତାର ଇଲାକାରେ କା'ର
ନାହିଁ ଭାଗ୍ୟ ଭବିଷ୍ୟତ ।
ତଥାପି ମଣିଷ ବାନ୍ଧେ ଦୃଢ଼ ଆଶ
ଭବିଷ୍ୟ ଗଢାରେ ରତ ।।
ଅତୀତ ଭୁଲୁଛି ଆଖିରେ ଦେଖୁଛି
ବର୍ତ୍ତମାନ କାଳବେଳ ।
ଭବିଷ୍ୟତ ଥାଏ କାହିଁ କେତେ ଦୁରେ
ପାଇବାକୁ ଚେଷ୍ଟା ତାର ।।
ମନରେ ଭରଷା ପାଇବାର ଆଶା
ଯାହା ଅଟେ ସୀମାହିନ ।
ପିଲାବେଳେ ମାଆ ପଣତ କାନିଟା
ଖୋଜୁଥାଏ ରାତି ଦିନ ।।
ଟିକେ ବଡ଼ ହେଲେ ମନରୁ ସେ ଭୁଲେ
ମାଆର ପଣତ କାନି ।
ଖୋଜେ ସାଙ୍ଗ ସାଥି ଖେଳେ ଦିନ ରାତି
ସମୟ ତାକୁ ପାଏନି ।।
ପାଠ ପଢି ସିଏ ମଣିଷଟି ହୁଏ
ପିତା ମାତା ଅବଦାନେ ।
ଭୁଲେ ପିତା ମାତା ଭାଇ ଓ ଖୁଡ଼ୁତା
ଡୁବି ରହି ନୂଆ ପ୍ରେମେ ।।
ଖୋଜୁଥାଏ ସାଥୀ ତାର ମନ ଲାଖି
ଗଢ଼ିବ ଏଠି ସଂସାର ।
ସଂସାରେ ସଂସାରୀ ହୋଇ ସେ ବଇରୀ
ମଣେ ତାର ପରିବାର ।।
ନିଜ ଭବିଷ୍ୟତ ଗଢିବାରେ ରତ
ସାଥେ ପିଲା ଭବିଷ୍ୟତ ।
ଅତୀତକୁ ଥରେ ଚାହେଁନି ଆଖିରେ
କି କରନ୍ତି ପିତା ମାତ ।।
ଯେଉଁ ପିତା ମାତା ଭବିଷ୍ୟତ ଆଶା
ରଖି କଲେ ଏଡ଼େ ବଡ଼ ।
ଅସହାୟ ବେଳେ ପଡ଼ି ବିଁଛଣାରେ
ହେଉଥାଏ କଲବଲ ।।
ତେବେ ବି ତୁଣ୍ଡରେ କେବେ ନ ବାହାରେ
କ୍ରୋଧ ଅବା ଅଭିଶାପ ।
ସନ୍ତାନର ସୁଖ ପିତା ମାତା ସୁଖ
ପାଉ ଯେତେ ମନସ୍ତାପ ।।
ଦେଖୁଛି ତା ପୁତ୍ର ତାର ଭବିଷ୍ୟତ
ସୁଖରେ ସଦା ସେ ରହୁ ।
ହେଉ ଅନ୍ଧକାର ଆମ ଏ ସଂସାର
ତା ସଂସାର ସୁଖେ ଥାଉ ।।