ଭାଗ୍ୟ
ଭାଗ୍ୟ
ଭାଗ୍ୟ ତ ଲେଖିଛି କପାଳ ଲିଖନ
ଯାହା ଭାଗ୍ୟେ ଲେଖା ଯାଏ
ଏଇ ଜୀବନରେ ସେଇ ଭାଗ୍ୟ ରେଖା
ଭୋଗିବାକୁ ପଡିଥାଏ ।
ଛୋଟ ବଡ ଧନୀ ହେଉ ବା ଗରିବ
ବାଛ ବାଚାର ନ ଥାଏ
ବୁଝି ବିଚାରିକି ଭାଗ୍ୟଦେବୀ ସବୁ
କପାଳରେ ଲେଖି ଯାଏ ।
ନିଜ କଲା କର୍ମ ଅନୁସାରେ ଫଳ
ଭୋଗିବାକୁ ତାକୁ ହୁଏ
ତାକୁ ଆଧାରିତ କରି ଭାଗ୍ୟ ଦେବୀ
କପାଳରେ ଲେଖି ଦିଏ ।
ଏଇ ଜୀବନରେ ଯାହା କରେ ସିଏ
ସେଇ ଅନୁସାରେ ପାଏ
ପ୍ରାରବ୍ଧ ଫଳଟି ବାକି ଯଦି ଥାଏ
ଏ ଜୀବନେ ଭୋଗେ ସିଏ ।
ଦୁଃଖ ଯଦି ଲେଖା କପାଳର ରେଖା
ଯନ୍ତ୍ରଣା ବହୁଳ ହୁଏ
ଭୋଗିବାକୁ ତାକୁ ପଡିବ ନିଶ୍ଚିତ
ଅନ୍ୟଥା କରିବ କିଏ ?
ଯେମିତି କରିବ ସେମିତି ପାଇବ
ତାକୁ ବା କାଟିବ କିଏ
ବାମ ହାତ ପାପ କୁହ କି ଡାହଣ
କେବେ ନେଇ ପାରି ଥାଏ ?
ଦୁଃଖ କଷ୍ଟ ଝଡଝଞ୍ଜାର ଜୀବନ
ଲୁହରେ ଯେ ଭିଜୁ ଥାଏ
ସେହି ଯନ୍ତ୍ରଣାକୁ ଆଦରି ନେଇ ସେ
ଦିନ କାଟିବାକୁ ହୁଏ ।
ନିଜ କପାଳର ଭାଗ୍ୟେ ଯାହା ଲେଖା
ତାକୁ ଭୋଗୁ ଥାଏ ସିଏ
ନିଜ ଦୁଃଖ ପାଇଁ ସେଇ ଦୋଷକୁ ସେ
ନା କାହାକୁ ଦେଇଥାଏ ।
ଯିଏ ଯାହା ହେବ ଯେମିତି ରହିବ
ଆଗରୁଟି ଲେଖା ଯାଏ
ଷଠିଘର ବେଳେ ଷଠିମାଆ ପରା
କପାଳରେ ଲେଖିଥାଏ ।
ନିଜ କଲା କର୍ମ ଅନୁସାରେ ନିଜେ
ସବୁ ସିଏ ଭୋଗୁ ଥାଏ
ସେଥିପାଇଁ କେହି ଜୀବନେ କାହାକୁ
ଦୋଷ ବି ଦିଅନି କିଏ ?
ସହିବାର ସୀମା ଯେବେ ଡେଇଁ ଯାଏ
ଅସହ୍ୟ ଯନ୍ତ୍ରଣା ହୁଏ
ଛଟପଟ ହୁଏ ଲୁହ ଝରି ଯାଏ
ତଥାପି ବଞ୍ଚଇ ସିଏ ।
କାହାକୁ କାହିଁକି ଦୋଷ ଦେବ ସିଏ
କପାଳର ଲେଖା ଇଏ
ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ
ଭୋଗିବାକୁ ତାକୁ ହୁଏ ।
ଯାହା ତ ହେବାର ଥିବ ନିଶ୍ଚେ ହେବ
ଘଟିବ ନିଶ୍ଚତ ସିଏ
ଭଲ ହେଉ ଅବା ହେଉ ସିଏ ମନ୍ଦ
ତାକୁ ମାନି ନେଇଥାଏ ।
ଗୋଟି ଗୋଟି କରି ଭୋଗିବାକୁ ପଡେ
ଶେଷ ନିଃଶ୍ବାସର ଯାଏ
ମଶାଣୀ ଜୁଈର ପାଉଁଶ ପର୍ଯ୍ୟନ୍ତ
ଭୋଗିବା ନିଶ୍ଚିତ ଥାଏ ।
