ଭାଗବତ ଟୁଙ୍ଗି
ଭାଗବତ ଟୁଙ୍ଗି
ଭାଗବତ ଗ୍ରନ୍ଥ ପ୍ରସିଦ୍ଧି ଲଭିଲା
ଜଗନ୍ନାଥ ଦାସ ପାଇଁ,
ଜନାଦୃତି ତାହା ସର୍ବତ୍ର ଲଭିଲା
ଟୁଙ୍ଗି ମାନ ଗଢା ହୋଇ ।
ପ୍ରତି ଗ୍ରାମେ ତେଣୁ ଭାଗବତ ଘରେ
ନିତ୍ୟ ହୁଏ ପାରାୟଣ,
ପଲ୍ଲୀବାସୀ ଙ୍କର ଆଧ୍ୟାତ୍ମିକ ରସେ
ହୁଅଇ ଚିତ୍ତ ତୋଷଣ l
ଗାଆଁ ସଂସ୍କୃତି ର ଗାଆଁ ସଦଭାବର
ଅଟେ ତାହା ମୁଖ୍ୟସ୍ଥାନ,
ସଞ୍ଜ ହୋଇଗଲେ ଭାଗବତ ପାଠ
ଶୁଣୁଥାନ୍ତି ବସି ଜନ l
ଗ୍ରାମ ବାସୀ ମାନେ ଦିନକର୍ମ ସାରି
କ୍ଲାନ୍ତ ଶ୍ରାନ୍ତ ମନ ନେଇ,
ଏକାଠି ହୁଅନ୍ତି ସେଇ ଟୁଙ୍ଗି ଘରେ
ଭକ୍ତି ସ୍ରୋତେ ମଜ୍ଜି ଯାଇ l
ଝାଞ୍ଜ ମୃଦଙ୍ଗ ଓ ଖୋଳ କରତାଳ
ଶୁଭେ ତହିଁ ପ୍ରତି ସଞ୍ଜେ,
ଭାଗବତବହି ପାରାୟଣ ହୁଏ
କୃଷ୍ଣ ପ୍ରେମେ ମନ ମ6ଜ୍ଜ l
ଗ୍ରାମର ସମସ୍ତ ସୁଖ ଓ ଦୁଃଖର
ଆଲୋଚନା ହୁଏ ସେଠି ,
ଦୁଃଖୀର ଦୁଃଖକୁ ମୋଚନ କରନ୍ତି
ସଭିଏଁ ହୋଇ ଏକାଠି l
ଜାତି ଭେଦ ଭୁଲି ସର୍ବେ ଥାନ୍ତି ମିଳି
ଭାଗବତ ଟୁଙ୍ଗୀ ଘରେ,
କେତେଯେ ପବିତ୍ର ଅଟେ ସେହିସ୍ଥାନ
ବିଭୁ ନାମା ମୃତ ଝରେ l
ଭାଗବତ ଟୁଙ୍ଗି ଥିଲା ସେତେବେଳେ
ଗାଆଁ ର ନିଶାପ ସ୍ଥାନ,
ଛୋଟ ବଡ଼ ସବୁ ସମସ୍ୟାବିଚାର
କରୁଥିଲେ ମୁଖ୍ୟ ଜନ l
ପାଲା ଦାସକାଠିଆ ଓ ସଂକୀର୍ତ୍ତନ ର
ମାଧୁର୍ଯ୍ୟ ସେଇଠି ଝରେ,
ମନୋରଞ୍ଜନ ଓ ଧର୍ମ ଭାବନାର
ସଂଯୋଗ ରେ ମନ ପୂରେ l
ଅତିଥି ମାନଙ୍କ ରାତ୍ରୀର ନିବାସ
ପାଇଁ କି ଆଶ୍ରୟ ସ୍ଥଳୀ,
କୋଠ ଘରୁ ବଢ଼ା ହୁଏ ସଞ୍ଚା ମାନ
ଅବା ବଢ଼ା ଭୋଗ ଥାଳି l
ହଜିଗଲା ସେଇ ପୁରୁଣା ସଂସ୍କୃତି
ଗଢ଼ା ହେଲା କ୍ଲବ ଘର,
ରାତି ହେଲେ ତହିଁ ନାଚ ଗୀତ ଶୁଭେ
ଚାଲେ ମଦର ଆସର l
ଯିଏ ଥିଲା ଦିନେ ଗାଆଁର ଗୌରବ
ଗରବର କେନ୍ଦ୍ର ସ୍ଥଳ,
ଆଜି ସେଠି ଠିଆ ନୂଆ କୋଠା ଘର
ଧର୍ମ ଭାବନା ଦୁର୍ବଳ l
ଆଉଥରେ ଯଦି ବିକାଶ ହୁଅନ୍ତା
ଭାଗବତ ଟୁଙ୍ଗୀ ମାନ,
ପ୍ରତି ଗ୍ରାମେ ଗ୍ରାମେ ଏକତା ବଢନ୍ତା
ଶୁଭନ୍ତା ପ୍ରଭୁଙ୍କ ନାମ l
