ଭାବନାର ମୋହଭଙ୍ଗ
ଭାବନାର ମୋହଭଙ୍ଗ


ରଜନୀର ତମସାଚ୍ଛନ୍ନ ଆକାଶକୁ
ଚନ୍ଦ୍ରାତାପର ଆଲୋକରେ ସଜେଇ
ଦେବାର ଦୁର୍ବାର ଆଶା ମନରେ
କଲ୍ଲୋଳିତ ହେଉଥିଲା।
ନା ଏ ଅମାନିଆ ମନ ଥୟ ଧରୁଥିଲା
ନା ସେ ଅହଂକାରୀ ଜହ୍ନ
ହାତରେ ଧରା ଦେଉଥିଲା।
ହେଲେ ଏ ବିବେକ ଭିତରୁ
ହସି କହୁଥିଲା ବାମନ ହେଇ
ଜହ୍ନକୁ ହାତ ବଢ଼ଉଛୁ
ଆଉ ଏଇ କଥା ପଦ
ଭିତରେ ଲାଜର ରୂପ ନେଉଥିଲା।
ସପନର ଅଳସୀ ନଈ
ବୋଧେ ଜୁଆରିଆ ହୋଇ
ଅନ୍ୟମନସ୍କତାର ଶୃଙ୍ଗୀରେ ଘଷି ହେଉଥିଲା।
ସବିତାଙ୍କ ତେଜ ପ୍ରଖର ହୋଇ
ଯେବେ ଝରକାରେ ଧସେଇ ଆସିଲା
ଏ ମନ ବୁଝିଗଲା
ଭାବନାର ମୋହ ଭଙ୍ଗ ହୋଇଗଲା
ଆଉ ସେ ତମସା ଦୂରେଇ ଯାଇଥିଲା
ସେ ଅଳସୀ ନଈ ବି ତା' ରାସ୍ତା କାଟି ଚାଲିଗଲା।