ଭାବନା
ଭାବନା
ମନ ଯା' ଯା' ଚିନ୍ତେ କଳ୍ପେ ତାହା ହିଁ " ଭାବନା "
ଭାବନାରେ ଭରିଥାଏ ଆଶାର ସମ୍ଭାବନା
କରିବାକୁ ତା'ର ଯଥାର୍ଥରେ ସଫଳ ରୂପାୟନ
ଲୋଡ଼ା ହୋଇଥାଏ ଅକ୍ଳାନ୍ତ ଶ୍ରମ ସାଧନା
ମନର ଉପବନେ ଭାବର ପାଦପ ଡାଳେ ଡାଳେ
ପଲ୍ଲବି ଉଠେ ଭାବନାର ଅସଂଖ୍ୟ କଢି଼
ସମୟର କ୍ରମରେ ସମ୍ଭବ ଅନୁସାରେ ତା' ବଢ଼ି
ଫୁଲ ହୋଇ ଫୁଟେ ତାର ପାଖୁଡ଼ା ମେଲି
କେତେ ରଙ୍ଗେ ତା' ତନୁ ଅଙ୍ଗେ ରଙ୍ଗ ବୋଳି
ଶୋଭା ବଢ଼ାଉଥାଏ ରୂପ ଲାବଣ୍ୟରେ ଭଳି ଭଳି
ମହକ ତା'ର ପବନରେ ଯାଏ ଖେଳି ଖେଳି
ହୃଦୟରୁ ଆନନ୍ଦ ଉଲ୍ଲାସ ପଡ଼େ ଉଛୁଳି
ଭାବୁକ ମନଟି ହୋଇ ମାଳୀ ନିଏ ତାକୁ ତୋଳି
ତା' ଆରାଧ୍ୟ ଦିଅଁ ପାଶେ ଦିଏ ପୁଷ୍ପାଞ୍ଜଳି
ଭବାନା ଯିଏ ଯେତେ କରିଥାଏ ଶୁଦ୍ଧ ପବିତ୍ର
ତଦନୁଯାୟୀ ଶରୀରର ଇନ୍ଦ୍ରିୟ ହୁଏ ପ୍ରଭାବିତ
ସକାରାତ୍ମକ ଭାବନାରେ ବଢ଼େ ଇଚ୍ଛାଶକ୍ତି
ଚେତନାରେ ଆସେ ଶାନ୍ତିଦାୟୀ ବିଚାର
ଭାବନା ହେଲେ ଦୁର୍ବଳ ପଙ୍ଗୁ ନକରାତ୍ମକ
ମନରୁ ଦୂରେଇଯାଏ ସାହସ ରହେନା ଧୈର୍ଯ୍ୟଶକ୍ତି
ଶଙ୍କା ସନ୍ଦେହର କୁହୁଡ଼ି ଆମେ ମାଡ଼ି ମାଡ଼ି
କରି ହୁଏନା ଯୋଜନା ସ୍ଥିର ଯାଏ ଯେତେ ଭୁଶୁଡ଼ି
ଜୀବନର ରଙ୍ଗ ଫିକା ପଡି ଯାଏ ଉଜୁଡ଼ି
ବେଦର ପବିତ୍ର ଶ୍ଳୋକ କହେ କରିବାକୁ ସଚେତନ
" ଯା' ଦୃଶୀ ଭାବନା ଯସ୍ୟ ସିଦ୍ଧି ଭବନ୍ତି ତା'ଦୃଶୀ
ମଣିଷ ଏକ ଚିନ୍ତାଶୀଳ ମନୋମୟ ପ୍ରାଣୀ
ମନର ଭାବ ଭାବନାରେ ହୁଏ ତାର ବିକାଶ ପ୍ରକାଶ
ହୃଦୟରେ ଆସେ ଅଭିନବ ଅପୂର୍ବ ଜାଗରଣ
ଜୀବନ ନିର୍ବାହ କରିବାକୁ ଆରମ୍ଭେ ସେ ଅଭିଯାନ
ଆଚରଣ ଉଚ୍ଚାରଣରେ ହୁଏ ତା' ପ୍ରତିଫଳନ
ଶୁଦ୍ଧ ପବିତ୍ର ବିଚାର ଆସେ କଲେ ଶୁଭଭାବନା
ପୂର୍ଣ୍ଣ ହୋଇଥାଏ ମଣିଷର ମନସ୍କାମନା
ସୂର୍ଯ୍ୟାଲୋକ ସମ ସ୍ଵଚ୍ଛ ସୁନ୍ଦର ହେଲେ ଭାବନା
ସାର୍ଥକ ହୋଇଥାଏ କରିଥିବା ଯୋଜନା
ସତ୍ୟାଶ୍ରୟୀ ହୋଇ ମହାପ୍ରଭୁଙ୍କୁ ସ୍ମରଣ କରି
କଲେ ବିବେକ ବିଚାରରେ ଉଚିତ ଭାବନା
ନିଷ୍ଫଳ ହୁଏନା କିଛି ଘୁଞ୍ଚିଯାଏ ଜୀବନର ଯାତନା।