ବଡ଼ସିଂହାର ବେଶ
ବଡ଼ସିଂହାର ବେଶ
ଅବକାଶ ବେଶ ପ୍ରଥମ ବେଶ, ବଡ଼ସିଂହାର
ଶେଷ ବେଶ ପହୁଡ ହୁଏ ଏ ବେଶେ ପ୍ରଭୁଙ୍କର।
ସନ୍ଧ୍ୟାଧୂପ ଶେଷେ ମଇଲମର ନୀତି ବଢଇ
ଚନ୍ଦନଲାଗି ହେବାପରେ ବଡ଼ସିଂହାର ହୋଇ ।
ପୁଷ୍ପାଳକ ସେବକଗଣ ବଡ଼ସିଂହାର ବେଶ
କରନ୍ତି ପୁଷ୍ପଶୃଙ୍ଗାରର ଏହି ବେଶ ବିଶେଷ ।
ଫୁଲର କରପଲ୍ଲବ କୁଣ୍ଡଳ ତଡ଼ଗିମାନ
ଶ୍ରୀରାମ ଦାସ ମଠ ଦିଏ ଏଇ ଯୋଗାଡମାନ।
ଫୁଲର ଚନ୍ଦ୍ରିକା ଏମାର ମଠ ଦିଏ ଯୋଗାଇ
କରପଲ୍ଲବ କୁଣ୍ଡଳ ଚନ୍ଦ୍ରିକାକୁ ବେନିଭାଇ ।
ଧାରଣ କରନ୍ତି ତଡଗି ଚନ୍ଦ୍ରିକା ସୁଭଦ୍ରାଙ୍କୁ
ଲାଗି ହୁଏ କଣ୍ଠ ଭୂଷଣ କହନ୍ତି ଚନ୍ଦ୍ରିକାକୁ ।
ଅଧରମାଳା ଚଉସରା ମାଳା ଲାଗି ହୁଅଇ
ନାସାରେ ଗୁଣା ନାକୁଆସି ମୁଣ୍ଡେ ଅଳକା ଥାଇ।
ବକ୍ଷଦେଶେ ଶୋହେ ପଦକ ବାରଲାଗି ପାଟରେ
ଗୀତ ଗୋବିନ୍ଦ କେତେ ଧାଡି ବୁଣାଥାଏ ତହିଁରେ ।
ଭୂଷିତ ହୁଅନ୍ତି ଠାକୁରେ ପିନ୍ଧି ବସ୍ତ୍ର ଭୂଷଣ
ଦେବଦାସୀ ନୃତ୍ଯ ହୁଅଇ ତହିଁ ପରିବେଷଣ ।
ବେଶ ବଢିଲେ ପୁଷ୍ପାଳକ କର୍ପୂର ଆରାତ୍ରିକ
କରନ୍ତି ବଡ଼ସିଂହାର ଧୂପ କରନ୍ତି ସେବକ ।
ମୋହିନିଏ ମନ ସଭିଙ୍କ ବଡ଼ସିଂହାର ବେଶ
ଥରେ ହେଲେ ଦେଖ ଆଖିରେ ଦେବଦୁର୍ଲଭ ବେଶ।
