ବଡଦିନ
ବଡଦିନ
ଡିସେମ୍ବର ପଚିଶର ମହାର୍ଘ୍ୟ ସେ ଲଗନରେ
ଅବତରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଣେତା
ବିତରିଲେ ଜ୍ଞାନ କେତେ ଭସାଇଲେ ପ୍ରେମ ସ୍ରୋତେ
ଯୁଗ ସ୍ରଷ୍ଟା ଦିଗ ଦ୍ରଷ୍ଟା ଜଗତ ପିତା
ଅଜ୍ଞାନକୁ ଜ୍ଞାନ ଆଲୋକେ
ଉଦ୍ଭାସିତ କରିଗଲେ ପ୍ରେମ ଝଲକେ ।
ଗୀତାର ମହତ ବାଣୀ “କର୍ମଣ୍ୟେବାଧିକାରସ୍ତେ
ମା ଫଳେଷୁ କଦାଚନ” ସର୍ବ କଥିତ
ଅନୁରୂପେ ପ୍ରଭୁ ଯୀଶୁ କହୁଥିଲେ ଜନତାଙ୍କୁ
ଭଲ କର୍ମକଲେ ଫଳ ମିଳେ ନିଶ୍ଚିତ
ଅଯଥା ଆଶଙ୍କା ମନରେ
ନ ରଖିଣ ଭଲ କର୍ମ କର ମହୀରେ ।
ଯୀଶୁଙ୍କ ମୁଖ ନିଃସୃତ ଶୁଣ ଏହିକଥାମୃତ
ଏ କାହାଣୀ ଅଟଇ ଏକ କୃଷକର
ନିଜ କ୍ଷେତେ ଆଶା ନେଇ ଭଲ ମଞ୍ଜି ବୁଣି ଦେଇ
ଫେରିଲା ଘରକୁ ମନେ ଆନନ୍ଦ ତାର
ଗୃହେ ଶୟନରେ ମଗନ
ଶତ୍ରୁ ତହିଁ ବୁଣିଦେଲା ବାଣୁଙ୍ଗାମାନ ।
ଗହମର ସମ ତାଳେ ବାଳୁଙ୍ଗାଉଠିଲା ମେଳେ
ମୂଲିଆ ପଚାରେ ଆସି କୃଷକ କତି
ଭଲ ମଞ୍ଜି ବୁଣା ହେଲା ବାଳୁଙ୍ଗା କେହ୍ନେ ଉଠିଲା
ଚାଷୀ କହେ ବାଳୁଙ୍ଗା ବୁଣିଛି ଦୂର୍ମତି
ବାଳୁଙ୍ଗା କି ଉପାଡି ଦେବୁ
ପଚାରନ୍ତେ ଚାଷୀ କହେ ଥାଉ ସେସବୁ ।
ଉପାଡିଲେ ବାଳୁଙ୍ଗାକୁ କ୍ଷତି ହେବ ଗହମର
ନଷ୍ଟ ହୋଇ ଯାଇପାରେ ଗହମ ଚେର
ଆସିଲେ ଅମଳ ବେଳ କାଟି ବାଳୁଙ୍ଗା ସକଳ
ଏକ ଠାବେ ଜାଳି ଧ୍ବଂସ କରିବି ତାର
ବାଳୁଙ୍ଗା ପାଉଁଶ ହୋଇବ
ଖଳାରେ ମୋର ଗହମ ଶୋଭା ପାଇବ ।
ସୁଗୁଣ ସୁକର୍ମ କର ନକାରାତ୍ମକକୁ ଡର
କରିବନି କେବେହେଲେ କର୍ମ ପଥରେ
ଝଡଝଞ୍ଜା ଆଶଙ୍କାର ଭୟଭ୍ରାନ୍ତି ହେବ ଦୂର
ଦ୍ବିଧା ଆଶଙ୍କାଠୁ ତୁମେ ରୁହ ଦୂରରେ
ସୁକର୍ମରଫଳ ନିଶ୍ଚିତ
ସମୟ ଆଗରୁ ହୁଅ ନାହିଁ ଚିନ୍ତିତ ।
ଈଶ୍ବର ସବୁ ଜାଣନ୍ତି ସେ ସର୍ବଜ୍ଞ ସର୍ବବ୍ୟାପୀ
ଭଲମନ୍ଦ ବାଛି ସବୁ ଚିହ୍ନାଇ ଦେବେ
ସତ୍ୟ ଶାନ୍ତି ପ୍ରେମମୟ ଜଗତ ପାଳକ ପିତା
ତୁମ ଭଲ କର୍ମ ଫଳ ଅବଶ୍ୟ ଦେବେ
ଯୀଶୁଙ୍କ ଜୀବନ ଦର୍ଶନ
ଆଲୋକିତ କରୁଥାଉ ସକଳ ଜନ ।
ଶୁଣ ସର୍ବେ ନରନାରୀ କରନି କା'ରେ ଭଗାରି
ସକଳଙ୍କୁ ଆନ୍ତରିକ ପ୍ରେମ ପରଶି
ନିଜର କୁଟୁମ୍ବ ଭାବି ସେବା ଯତ୍ନ ସହକାରେ
ଦୟା କ୍ଷମା ମନୋଭାବେ ସେବା ପରଶି
ତୁମେ ଅମୃତର ସନ୍ତାନ
ମାନବ ସେବାରେ ସଦା ଦିଅ ହେ ଧ୍ୟାନ ।
