BARNALEE
BARNALEE
ମେଘମାଳା କୋଳେ ପୁନେଇଁ ଜହ୍ନଟା
ଓଢଣୀ ଖସାଇ ବସି,
ଶ୍ରାବଣର ଶୋଭା ନିରେଖୁଛି ହସି
ସାଜି ସଂଜୁଆ ଅଳସୀ ॥
ଖଦ୍ୟୋତର ହାଟେ ମରୁଆ ସଂଜଟେ
ଲାଜେଇ ମୁରୁକି ହସେ,
କଳା ସିଲଟରେ ପ୍ରତିଛବି ଆଂକି
ପୀରତି ମହ୍ଲାର ଘୋଷେ ॥
ପତଂଗେ ଭ୍ରମନ୍ତି ବାଇ ପ୍ରାୟ ନିତି
ଅନଳେ କରି ପୀରତି,
ପକ୍ଷଚ୍ୟୁତ ହୋଇ ଲଭନ୍ତି ନିର୍ବାଣ
ପ୍ରକୃତିକୁ କରି ରତି ॥
ହଂସ ହଂସରାଳି କରୁଥାନ୍ତି କେଳି
ପହିଲି ଶ୍ରାବଣ ଧାରେ,
ଗେଣ୍ତା ପୀରତିରେ ମଧୁର ମିଳନ
ଶୀତଳ ସରସୀ ନୀରେ ॥
ବଂଶୋଦ୍ଭବେ ଜଳ- ଜୀବଂକର ମେଳ
ପ୍ରକୃତିର ମହାଖେଳ,
ଅଂକୁରୋଦ୍ଗମର ନବ ବାରବାଟୀ
ନିୟତିର ମହାମେଳ ॥
ଚର୍ଚ୍ଚିତ ମାଧୁରୀ ମର୍ତ୍ତ୍ୟ ମହାପୁରୀ
ବର୍ଣ୍ଣିଳ ଅାଭା ସୁନ୍ଦରୀ,
ଉପମା ଗଭାରେ ସୃଜନ ଶୋଭାରେ
ନୃତ୍ୟାଂଗନା ମର୍ତ୍ତ୍ୟପରୀ ॥
ସୁନ୍ଦର ତୃପ୍ତିରେ ହସେ ମହୀପୁର
ସକଳ ପ୍ରାଣୀଂକୁ ନେଇ,
ବାରୁଣେଇ ସାଜି ବାରୁଣୀରେ ହଜି
ବାଣ୍ଟେ ଅମୃତ ମଣୋହୀ ॥