BANDHU
BANDHU


ଦୁଃଖରେ ସୁଖରେ ଅବା ବିପଦରେ
ବନ୍ଧୁ ତ ହାତ ବଢାଏ,
ଅର୍ଥର ସମ୍ପର୍କେ ଯିଏ ବାନ୍ଧିହୁଏ
କ୍ଷଣିକ ବନ୍ଧୁ ବୋଲାଏ ॥
ବନ୍ଧୁତାର ପଥ ବନ୍ଧୁର ଶପଥ
ବଇଶାଖି ଚିତାନଳ,
ବସନ୍ତ ମଳୟ ତା ହୃଦ କମଳ
ମାପ ତରାଜୁ ସକଳ ॥
ଫେଏସ ବୁଉକ ହୁଆଟ ସପରେ
ବନ୍ଦୁକ ବସିଛି ମେଳା,
କେତେ ମତାମତ କେତେ ଯେ ପୀରତି
ସତେ କି ନୀରଦ ଖଳା ॥
ଇତିହାସ ଫର୍ଦେ ପୈାରାଣିକ ନାଦେ
ବନ୍ଧୁ ବାନ୍ଧବ ବନ୍ଧନୀ,
ସଂକଟ ମୋଚନେ ପ୍ରୀତି ବୃନ୍ଦାବନେ
ବାଢିଛନ୍ତି ସଂଜୀବନୀ ॥
ପଶୁପକ୍ଷୀ ଜୀବେ ବନ୍ଧୁର ସ୍ୱଭାବେ
ପରିବେଶେ ରଖି ଭାବ,
ସଜଳ ଦୃଷ୍ଟାନ୍ତ ଦେଉଛନ୍ତି ନିତ୍ୟ
ବନ୍ଧୁର ତାହା ବିଭବ ॥
ଜଗତର କର୍ତ୍ତା ବନ୍ଧୁ ସାଜିଥିଲେ
ସୁଦାମା ଦ୍ରୈାପଦୀ ପାଇଁ,
ଦାସିଆ ବାଉରି ବନ୍ଧୁ ସାଲବେଗ
ବନ୍ଧୁ ମହାନ୍ତିଙ୍କୁ ନେଇ ॥
ବନ୍ଧୁ ପୀରତିରେ ବନ୍ଧୁ ନାଚୁଥାଏ
ଅହଂକୁ ଦେଇ ଆହୁତି,
ହିଂସା ଦ୍ୱେଷ କ୍ରୋଧ ହୁଅଇ ସମିଧ
ଯଜ୍ଞରେ ଫୁଲାଇ ଛାତି ॥
ଅଗ୍ନିରେ ପୋଡିଲେ ପାଷାଣେ ମାଜିଲେ
ବନ୍ଧୁତ୍ୱ ଝଲସୁ ଥାଏ,
ଅନାବିଳ ପ୍ରେମେ ବନ୍ଧନ କମାଣେ
ପ୍ରୀତିପୁଷ୍ପ ବାଣ୍ଟୁଥାଏ ॥
ସୂର୍ଯ୍ୟ ଚନ୍ଦ୍ର ତାରା ବନ୍ଧୁତ୍ୱର ତୋରା
ଗ୍ରହ ମଣ୍ତଳକୁ ନେଇ,
ବର୍ଷ ମାସ ଦିନ ବନ୍ଧୁତ୍ୱ ବନ୍ଧନ
ପ୍ରକୃତି ବନ୍ଧନ ପାଇଁ ॥