ବାଟଭୂଲା ପକ୍ଷୀ
ବାଟଭୂଲା ପକ୍ଷୀ
ଫେରୁଥିଲା ଏକ ବାଟ ଭୁଲା ପକ୍ଷୀ
ଧରାଦେଲା ତୁମ ହାତେ
ଆହାଃ !କି କୋମଳ ଏ ମଧୁ ପରଶ
ଭାବୁଥିଲା ପକ୍ଷୀ ଚିତ୍ତେ।
ଭୂଲିଗଲା ପକ୍ଷୀ ତା' ନିଜ ଠିକଣା
ରହିଲା ବନ୍ଦିନୀ ହୋଇ
ମୁକ୍ତ ଆକାଶକୁ ମୁହଁ ମୋଡି଼ଦେଲା
ପ୍ରୀତିରେ ହୋଇଲା ବାଇ।
ସର ଲବଣୀରେ ମନ ତା' ନଥିଲା
ଖୋଜୁଥିଲା ଗୋଟେ ରାହା
ତୁମେ ଦେଇଦେଲ ହୃଦୟ ପଞ୍ଜୁରୀ
ହୋଇଗଲ ତା'ର ସାହା।
ପକ୍ଷୀ ରାଣ ଦେଇ କହିଲା ଗେହ୍ଲେଇ
ଖୋଲିବନି ଏ ପଞ୍ଜୁରୀ
ଖୋଲିଲେ ପଞ୍ଜୁରୀ ଯିବିନି ମୁଁ ଉଡ଼ି
ଏଇଠି ଯିବି ମୁଁ ମରି।
ପକ୍ଷୀର କଥାକୁ ତୁମେ ରଖିଥିଲ
ରଖିଲ କରି ଯତନ
ତୁମର ପ୍ରେମରେ ସିଏ ସଜେଇଲା
ଆଖିରେ କେତେ ସପନ।
କେତେ ଯେ ନିଦାଘ ବାଟ କାଟିଲେଣି
ପକ୍ଷୀ ଅଛି ଅୟସରେ
ସବୁ ଋତୁ ତା'କୁ ବସନ୍ତ ଲାଗଇ
ଭିଜେ ଫଗୁ ମଳୟରେ।
ଏବେ ଭାବେ ବସି ପକ୍ଷୀ ନିରୋଳାରେ
ବାଟ ଭୁଲା କଥା ତା'ର
ଆଗରୁ ଯଦି ସେ ହୁଡି ଥାନ୍ତା ପଥ
ହୋଇଥାନ୍ତା କେତେ ଭଲ।