ବାଟ
ବାଟ
ଏତେ ସବୁ ବାକି ପଡ଼ିଥିବା
ରାସ୍ତାରେ; ଚାଲିବ ବା କିଏ
ପାଦସବୁ ତ ଥକି ପଡ଼ିଲେଣି
କେତେବେଳୁ, ପୁଣି କେଉଁ ଯୁଗରୁ ।
ସବୁ ପାଦରେ ମୋହ ଆଉ ସ୍ୱାର୍ଥର ଶିକୁଳି
ଅନେକ ପାଦ ତ ଏଠି, ଗୋଦରା ଭଳି,
ପୁଣି ପାଦ ପିନ୍ଧା ଚପଲ ଓ ଚଟି
ଦୁର୍ବଳ ସାଜିଲେଣି ଗୋଟି ଗୋଟି ।
ତେଣୁ, ଏତେ ସବୁ ବାକି ପଡ଼ିଥିବା
ରାସ୍ତାରେ; ଚାଲିବ ବା କିଏ ?
ଜୀବନ ଯେଉଁଠି ଅନିଶ୍ଚିତ, ସେଠି
ରାସ୍ତା ସବୁ କଣ୍ଟକିତ ହେବା ସ୍ୱାଭାବିକ,
ଉଚ୍ଚ - ନୀଚ, ଖାଲ - ଢ଼ିପ, ସମତଳ - ବନ୍ଧୁର,
ଏସବୁ ମିଛ ମରୀଚିକା ନ ହେଲେ ବି, ସମ୍ଭାବନା ପୂର୍ଣ୍ଣ ।
ସବୁବେଳେ ତ , ଅନ୍ଧାରକୁ ନାଶିବା ପାଇଁ
ଆକାଶର ବକ୍ଷ ଚିରି, ତାରାଙ୍କୁ ସୈନିକ କରି
ଆସି ନ ପାରେ ଜହ୍ନ ! ତେଣୁ
ତୁ ଆଖିକୁ ଜଳେଇ ଦେ, ବିଶ୍ୱାସର
ମଶାଲ କରି, ମୋହ ସବୁକୁ ଫିଙ୍ଗିଦେ
ମହାମାରୀରେ ପ୍ରାଣଶୂନ୍ୟ ହୋଇଥିବା
ଶବ ପରି, ଯେମିତି ସେ ଶବ ସବୁ
ଆକ୍ରାନ୍ତ ନ କରି ଆଉ କାହାକୁ;
ଦେଖିବୁ,ଯେତେସବୁ ପଥ ଆଗକୁ ପଡ଼ିଛି,
ତୋ ପାଦକୁ ତୋଳି ନେବେ, ମା'ର ଛାତି ପରି ।।
