ବାଟ
ବାଟ
ଜୀବନର ଏଇ ଚଲା ପଥ ପରେ
ଅନେକ ରହିଛି ବାଟ
ସେ ବାଟରେ ପାଦ ରଖିବା ପୂର୍ବରୁ
ସତ୍ୟତା ଜାଣ ନିରାଟ ।
ବାଟ ଅବାଟର ତର୍ଜମା ଭିତରେ
ଅନେକ ପାର୍ଥକ୍ୟ ଥାଏ
କୁବାଟ ,ସୁବାଟ ,ସତ୍ୟ, ଧର୍ମ ବାଟ
ଅନ୍ୟାୟ ବି ରହିଥାଏ ।
ଅସତ୍ୟ ଅଧର୍ମ ବାଟ କଳଙ୍କିତ
ନ୍ୟାୟ ବାଟ ଆଲୋକିତ
ପାପ ପୁଣ୍ୟ ଦୁଇ ବାଟ ରହିଥାଏ
ପାଦ ଦେବ ବିଚାରିତ ।
ମନ ଭୁଲାଣିଆ କିଏ କେତେ କହେ
କୁବାଟରେ ନେଇଯାଏ
ଜାଣିଲା ବେଳକୁ ସବୁ ସରିଥାଏ
ପସ୍ତେଇବା ସାର ହୁଏ ।
ମନ୍ଦ ବାଟ ଆଗ ଆଗ ଭଲ ଲାଗେ
ସତେକି ଅମୃତ ଭରା
ଶେଷରେ ସେ ବଡ ଧକ୍କା ଦେଇଥାଏ
ଝରାଏ ଲୋତକ ଧାରା ।
ଭଲ ବାଟ ଦିଏ ଯନ୍ତ୍ରଣା ବହୁତ
ବିଷ ତୁଲ୍ୟ ଲାଗୁ ଥାଏ
ଶେଷରେ ସମ୍ମାନ ଭରି ଦିଏ ସିଏ
ଅମୃତ ଚଖାଇ ଦିଏ ।
ସିଧାବାଟ ଥାଏ ବଙ୍କା ବାଟ ଥାଏ
ଥାଏ ବି ଖସଡା ବାଟ
ଖସଡା ବାଟରେ ପାଦ ପଡିଗଲେ
ହେଇଥାନ୍ତି ଛଟପଟ ।
ପୁରାଣ ଶାସ୍ତ୍ରରୁ ଇତିହାସ ଦେଖ
ରହିଛି ଅନେକ ବାଟ
କିଏ ନିନ୍ଦା ପାଏ କିଏ ଯଶ ପାଏ
କିଏ ବା ଭୋଗଇ କଷ୍ଟ ।
ବାଟେ ଯାଉ ଯାଉ ଅନେକ ଲୋକଙ୍କ
ସହ ଦେଖା ହେଇଯାଏ
କେତେ ମୁହଁ ସେଠି ଚିହ୍ନା ଦେଖାଯାଏ
କେତେ ବି ଅଚିହ୍ନା ଥାଏ ।
ବାଟେ ସହାୟତା କରିଥାଏ ସିଏ
ହୃଦୟରେ ରହିଯାଏ
ମଶାଣୀ ଜୁଇରେ ଜଳିବା ପର୍ଯ୍ୟନ୍ତ
ମନ ତାକୁ ଖୋଜୁଥାଏ ।
ବାଟେ ଅପମାନ ଦେଇଥାଏ ଯିଏ
ନା ତାହାକୁ ଭୁଲି ହୁଏ
ମାନସ ପଟରେ ତାର ସେ ମୁହଁଟା
ଜଳ ଜଳ ଦିଶୁ ଥାଏ ।
ସତ୍ୟ ବାଟେ ଯାଇ ବୀର ବିଭୀଷଣ
ଅଜର ଅମର ହେଲେ
ଅନ୍ୟାୟ ଅଧର୍ମ ବାଟରେ ଚାଲି
ଅଳ୍ପ ଆୟୁଷରେ ମଲେ ।
ଶକୁନି କୁମନ୍ତ୍ରେ ଅନ୍ୟାୟ ବାଟରେ
ପାଦ ଦେଲେ ଦୁର୍ଯ୍ୟୋଧନ
ନିଜ ବଂଶ ଶେଷେ ଧ୍ୱଂସ ହେଇଗଲା
ନିଜେ ବି ହେଲେ ନିଧନ ।
ଛଳନା ବାଟରେ ଇନ୍ଦ୍ର ଗତି କଲି
ଅହଲ୍ଯାକୁ ହରି ଥିଲେ
ଗୌତମ ଋଷିଙ୍କ ଅଭିଶାପ ବଳେ
ସହସ୍ର ଯୋନି ହୋଇଲେ ।
ମିଛ କପଟର ବାଟ ଧରି କର୍ଣ୍ଣ
ପର୍ଶୁରାମେ ଗୁରୁ କଲେ
ନିଷ୍ଫଳ ହୋଇଲା ସେହି ବିଦ୍ୟା ତାଙ୍କ
ମୃତ୍ୟୁକୁ ବରଣ କଲେ ।
ବିଶ୍ବାସ ବାଟରେ ଯାଇ ପ୍ରହଲ୍ଲାଦ
ପ୍ରଭୁ ପାର୍ଶାଦ ଲଭିଲେ
ସଚ୍ଚୋଟ ପଣରେ ରହି ବସୁଦେବ
ଶେଷେ ମୁକ୍ତି ପାଇଥିଲେ ।
ସତ୍ୟ ଧର୍ମ ନ୍ୟାୟ ପୁଣ୍ୟ ବାଟ ସଦା
ଉଜ୍ଜୀବିତ ରହିଥାଏ
ଭକତିର ବାଟ ସବୁଠୁ ଉତ୍ତମ
ମୁକ୍ତି ସେଠି ମିଳି ଥାଏ ।