ବାଟ
ବାଟ
ହଜିଯାଇଥିବା ବେଳେ ଦିନେ ,
ଘର ଖୋଜୁ ଖୋଜୁ,
ପାଇଲି ଚାରୋଟି ମୟୁର ଚନ୍ଦ୍ରିକା
ଅନ୍ତର ତଳ ପୁଲକିତ ହେବା ଆରମ୍ଭିଥିଲା କି !
ସେମାନେ କଣ୍ଟା ଫଳ ପାଲଟିଗଲେ ।
ଫିଙ୍ଗିଦେଲି ଦୂରକୁ
ହାତରେ ଫୁଟିବା ଆଗରୁ ,
ଯେତେ ବାଟ ଯାଏ ଛିନ୍ଚାଡି ପାରିବି
ସେତେବାଟ ।
ତରତରେ ପାଦ ପକେଇ
ମୁକୁଳି ଯିବାକୁ ହଟ କରୁକରୁ
ଥରେ ବୁଲି ପଛକୁ ଚାହିଁଲି ।
କଣ୍ଟା ଫଳ ସବୁ ଚନ୍ଦ୍ରିକାର
ମୟୁର କଣ୍ଠିଆ ରଙ୍ଗରେ ଉଦ୍ଭାସିତ,
ହାତ ଠାରି ଦିଶୁଛନ୍ତି ଜୀବନ୍ତ ।
ଏଇ ତ ଆରମ୍ଭ କଲା ଚାଲିବା,
ଧରିନେଲା ନ ସରିବାର ବାଟ ।
ଅପହଞ୍ଚ ।।
ଦୂରରୁ ଦିଶିଲେ ଶ୍ବେତ ହସ୍ତୀ ର ଦଳ
ଦିଶୁଥିଲେ ସତେ ଶଂଖମର୍ମର ପଦ୍ମ ଦଳ ,
ଏ ଚନ୍ଦ୍ର ବିହୀନ ମରୁଜାଲାରେ
ଶ୍ବେତ ହସ୍ତୀ ? ହତବମ୍ବ ଥିଲେ ତାରା ମାନେ ।
କାନ ଝୁଲେଇ ଶୁଣ୍ଢ ବଢେଇ
ଫୁଆରା ଜଳର କଲେ ସିଞ୍ଚନ ।
ସବୁ ମାଟି କଳସୀ
ଏବେ ପୂର୍ଣ୍ଣ ।
ହସୁଛି ବି ପୂର୍ଣ୍ଣିମାଜହ୍ନ ।
ବାଦଲ ଡେଣାରୁ ଘେନିଥିବା
ମେଘ ମାନଙ୍କ ଚାତକପଣ ଦେଖି
ତେଣେ ନାଚିଲେଣି ଶିଖିକେକି ।
ଶ୍ବେତ ହସ୍ତୀ ରେ ତୁ ସବୁଦିନେ ଥାଆ
ତୋ ଦଳକୁ ନେଇ ଏଇ ନିର୍ଝରଣୀ କୂଳେ
ସିଞ୍ଚୁଥା ଅମୃତ ,
ମିଳିଯାଉ ଗୋଟି ଗୋଟି
ହଜିଥିବା ଘର ।