ବାସ୍ତବତାର ଭାବାନ୍ତର
ବାସ୍ତବତାର ଭାବାନ୍ତର
ଜନମ ଓ ଜୁଇ ଭିତରେ ଥିବା
ଏ ତଥାକଥିତ ସଂଘର୍ଷ ଭିତରେ
କେତେ ଦିନ ଅବା ଆଉ ଜୁଝି ହେବ
ଲୋକ କଥିତ ଏ ମୂଲ୍ୟବାନ ଜୀବନ।
ମରୀଚିକାକୁ ନ ଦେଖି ବି
କେତେ ଦିନ ଏ ବିଚରା ପ୍ରାଣଟି
ଆଉ ଡହଳ ବିକଳ ହେବ।
ମୃତ୍ୟୁ ର ନାଁ ଶୁଣିଲେ
କୋକୁଆ ଭୟ ମାଡି ପଡୁଥିଲା କେବେ
ହେଲେ ଏବେ
ସେ ମୃତ୍ୟୁର ଆଲିଙ୍ଗନ ହିଁ ପ୍ରକୃତ
ଶାନ୍ତି ବୋଲି ହୃଦୟଙ୍ଗମ ହେଲା ପରେ ବି
ଏ ମିଛ ଆଚ୍ଛାଦିତ ସମ୍ପର୍କ
ମୃଗତୃଷ୍ଣାର ଲୋଭ ଦେଖେଇ ଚାଲିଛନ୍ତି।
ପୁନଶ୍ଚ ଆଉ ଏକ ଭାବାନ୍ତର
ମନକୁ ଦୋହଲାଇ ଦିଏ...
ଜୀବନ ଯଦି ବାସ୍ତବିକ
ମୃତ୍ୟୁ ଯଦି ବାସ୍ତବିକ
ତେବେ ଜୀବନର କଳାପଟାରେ
ଗାଢ଼ତାରେ ଲେଖା ଯାଇଥିବା ଏ
ସମ୍ପର୍କ ଗୁଡାକ କଣ ବାସ୍ତବିକ ନୁହେଁ....
କାହିଁକି ଛଳନାକୁ ଆଦରି
ସେମାନ ଦରଲିଭା ହୋଇଯାଇଛନ୍ତି।
ଔପଚାରିକତା ଦୃଷ୍ଟିରୁ ଛଳନାର
ଖୋଳପା ଭିତରେ ଟାଣି ଧରିଛନ୍ତି
ଆତ୍ମୀୟତାର ନାମ ନେଇ।।
ସେମାନେ ଏମିତି ଜାବୁଡି ଧରିଛନ୍ତି
ବେସାହାରା ହୋଇ ଏ ପ୍ରାଣ
ଖୋଜି ଚାଲିଛି ଏକ ଅସମାହିତ ପ୍ରଶ୍ନର ଉତ୍ତର।
ଯଦି ଜନ୍ମ ଓ ମୃତ୍ୟୁକୁ ଗୋଟିଏ
ସୂତାଖିଅରେ ବାନ୍ଧି ରଖିଥିବା ଜୀବନ
ଶାନ୍ତି ଦେବାରେ ଅକ୍ଷମ
କେମିତି କହି ହେବ ମୃତ୍ୟୁ ହିଁ ପରମ ଶାନ୍ତି।
