ବାସ୍ତବତାର ଅକୁହା ଯନ୍ତ୍ରଣା
ବାସ୍ତବତାର ଅକୁହା ଯନ୍ତ୍ରଣା
ଶିଳ୍ପୀ ତ ଗଢିଦିଏ ସୁନ୍ଦର ମୂର୍ତ୍ତି
ଝଲସେ ତା ମଧ୍ୟେ କେତେ କଳା କୀର୍ତ୍ତି |
ଭାବନାରେ ତୋଳେ ସିଏ ସୁନ୍ଦର ଶରୀର
ରୂପ ଦେଇ ଗଢେ ସେ ତ ସୃଷ୍ଟି ତା ନିହାଣ ମୁନର |
ପଡିଥାଏ ଯିଏ ହୋଇ ଏକ ଅଲୋଡ଼ା ପଥର
କେତେ ଯେ କଷ୍ଟ ସହେ ପାଇବାକୁ ଏକ ଶରୀର |
ହୋଇଛି ସିଏ କ୍ଷତ ବୀକ୍ଷତ ପାଇ ଆଘାତ ନିହାଣର
ତଥାପି ହାରିନି ଆଶା ପାଇବାକୁ ସୁନ୍ଦର ଶରୀର |
ଶିଳ୍ପୀ ଗଢେ ମୂର୍ତ୍ତି ତା ପରିକଳ୍ପନାର
ଆକର୍ଷିତ ହୁଅନ୍ତି ସର୍ବେ ଦେଖି ରୂପ ସେ ପ୍ରତିମାର |
ଶିଳ୍ପୀ ଓ ମୂର୍ତ୍ତି ଫୁଟାନ୍ତି କେତେ ମୁଖେ ହସର ଫୁଆର
ବୁଝିବ କିଏ ତାଙ୍କ ବାସ୍ତବତା ଅକୁହା ଯନ୍ତ୍ରଣାର ?
ଚିତ୍ରକାର ଆଙ୍କେ ଚିତ୍ର ତା ମାନସପଟର
ତୁଳିରେ ରଙ୍ଗ ଭରି ରଙ୍ଗେ ସେ ଚିତ୍ର ନିଜ ମନର |
ଆଙ୍କୁ ଆଙ୍କୁ ହଜିଯାଏ ତା ମନ ରାଇଜରେ
ଆଙ୍କିବାକୁ ପ୍ରତିବିମ୍ବ ଅତି ଜୀବନ୍ତ ପ୍ରକାରେ|
ଭରିବାକୁ ଚାହେଁ ସିଏ କେତେ ନିଖୁଣତା
ସେଥିପାଇଁ ଭୁଲେ ତାର ନିଜ ବାସ୍ତବିକତା |
ଯେଉଁ ଚିତ୍ର ସେ ଆଙ୍କଇ ସିଏ ଖୋଜେ ତାର ଅସ୍ତିତ୍ୱ
କେବେ ପାଏ ପୁଣି କେବେ ହୁଏ କଳ୍ପନାର ଚିତ୍ର |
ଯେଉଁ ପରଦାରେ ତୁଳିରେ ଚିତ୍ର ଆଙ୍କି ଥାଏ
ସେହି ପରଦା ତ ଆଗରୁ ଅଲୋଡ଼ା ପଡିଥାଏ |
ସମ୍ପୂର୍ଣ ଚିତ୍ର କେତେ କେତେ ମନେ ଆନନ୍ଦ ଭରିଦିଏ
କିନ୍ତୁ ତା ମଧ୍ୟେ ବାସ୍ତବିକତାର ଅକୁହା ଯନ୍ତ୍ରଣା ଲୁଚିଥାଏ |
କଳାକାର ତାର କଳା ଯେବେ ପ୍ରଦର୍ଶନ କରେ
ସେହି ମଞ୍ଚଗୃହ କେବେ କରତାଳି ତ କେବେ କ୍ରନ୍ଦନରେ ଭରେ |
ସେହି ଚରିତ୍ରର ଜୀବନ୍ତ ରୂପାୟନ ପାଇଁ
କଳାକାର ଅଭ୍ୟାସ କରେ କେତେ ରାତି କେତେ ଦିନ ଦେଇ |
ସେହି ସାଧନାରେ ସେ ନିଜକୁ ଦେଇଛି ହଜାଇ
କେତେ କେତେ ଚରିତ୍ରରେ ନିଜକୁ ରଖିଛି ଡୁବାଇ |
ବୁକୁରେ ଚାପି ତାର ଯନ୍ତ୍ରଣାର କୋହ
ଖେଲାଇଛି କେତେ ମନେ ସେ ଖୁସିର ସୁଅ|
ପିଇଛି ସିଏ ତା ଆଖିର ଲୁହ ଫୁଟାଇ ତା ଓଠରେ ହସ
କରିଛି ସିଏ ବେଦନା ଓ ଯାତନାକୁ ତାର ବଶ |
ହସିଛି ସିଏ ସମ୍ମାନ ଓ ଆଦର ପାଇ
ତାର ବାସ୍ତବିକତାର ଅକୁହା ଯନ୍ତ୍ରଣା ଲୁଚାଇ |
କବି ଦିଏ ଜନ୍ମ କିଛି ଶବ୍ଦକୁ ତା ଲେଖନୀ ମୁନରୁ
ଗଢେ ସିଏ ଶବ୍ଦର ମାଳ ତା ଭାବନାରୁ |
ଲେଖୁ ଲେଖୁ ଲେଖିଦିଏ ହୋଇଯାଏ କବିତା
ଭୁଲିଯାଏ ସିଏ ତା ଜୀବନର ପ୍ରକୃତ ବାସ୍ତବିକତା |
ସେହି କବିତା ପଢି କେହି ହୁଏ ଭାବେ ବିହ୍ଵଳ
କିଏ କହେ କବି ତ ଅଟେ ଏକ ପାଗଳ |
କିଏ ବା କାହିଁକି ବୁଝିବ ତା ମନର କଥା
ତାର ବେଦନା ଗ୍ଲାନି ଯାତନା ଓ ଦୁଃଖ ର ବ୍ୟଥା |
ଭାବନାରେ ତୋଳି ସେ ଭରିଛି ଶବ୍ଦକୁ ରୂପରେ
ରୁପାୟିତ କରେ ତାକୁ ଦେଇ ସୁନ୍ଦର ଅଳଙ୍କାର |
ଜୀବନ୍ତ କରେ ସେ ତା ଲେଖାରେ ଭାବକୁ
ବୁଝିବା କଷ୍ଟ ତାର ବାସ୍ତବିକତାର ଅକୁହା ଯନ୍ତ୍ରଣାକୁ |
ସତ୍ୟ କିଛି ଦେଖାଏ ଭିନ୍ନ ଏକ ଚିତ୍ର ଆଙ୍କି
ଅଦେଖା ଅଜଣା ଅକୁହା କିଛି ମାରନ୍ତି ଉଙ୍କି|
ନେପଥ୍ୟରେ ସଦା କିଛି କୋଳାହଳ କରନ୍ତି
ସଭିଏଁ ନିଜ ନିଜ ଅସ୍ତିତ୍ୱ ଖୋଜିବାରେ ଲାଗନ୍ତି |
କିଏ ବା କାହିଁକି ତୋଳିବ ସତ୍ୟର ଚିତ୍ର
ଯୁଗ ପରେ ଯୁଗ ଗଲାଣି ବିତି ସଭିଏଁ ବ୍ୟସ୍ତ |
ରହିଛି ଖାଲି କିଛି ତାଙ୍କ କଥା ଓ ସ୍ମୃତି
ଦେଖନ୍ତି ସଭିଏଁ ସିଏ ଅତୀତ ବୋଲି ଜାଣନ୍ତି |
ଅବୁଝା ହୁଅନ୍ତି ଖାଲି ହୋଇ ଯନ୍ତ୍ର ଚାଳିତ
ଦୁନିୟା କୁ କରନ୍ତି କିଛି ବିଚଳିତ |
ବୁଝିଲେ ତାକୁ ସିଏ ଏହି ଜୀବନକୁ ସାର୍ଥକ କରିବ
ତେବେ ତ ବାସ୍ତବିକତାର ଅକୁହା ଯନ୍ତ୍ରଣା ପ୍ରଶମିତ ହେବ |