ବାରଣ ଜମା ନ କର
ବାରଣ ଜମା ନ କର
ତୁମଲାଗି ଆଜି ଲୁଚାଇ ଆଣିଛୁ
ଦୁଧ,ଦହି,ଛେନା-ସର ,
ମନଭରି ଏବେ ଖାଅ ହେ ମୋହନ
ବାରଣ ଜମା ନ କର ।
ସଖାମେଳେ ତୁମେ ଲୁଚି ଛପି ଆସି
ଆମ ଘରୁ କର ଚୋରି ,
କେଡ଼େ କଉଶଳେ ସର ,ଲବଣୀକୁ
ଖାଅ ହେ ମୁରଲୀଧାରୀ ।
ସେଥିପାଇଁ କେତେ ଗାଳିମନ୍ଦ ଶୁଣୁ
ଲାଗେ ତେଣୁ ଭାରି ଡର ,
ଘର ଲୋକଙ୍କର ଚାପରେ ପଡ଼ିକି
ଯାଉ ଯଶୋଦାଙ୍କ ଠାର ।
ତୁମ ନାମେ ସିନା ଅଭିଯୋଗ କରୁ
ମନରେ ନ ଥାଏ କିଛି ,
ଜାଣିଛ ହେ ଶ୍ୟାମ ,ତୁମପ୍ରତି ଆମ
ଚିତ୍ତେ କେତେ ପ୍ରେମ ଅଛି ।
ସେଇ ପ୍ରେମ,ଭକ୍ତି, ଭରସା ନେଇକି
ଆସିଅଛୁ ତୁମ ପାଶ ,
ମନଇଚ୍ଛା ଏବେ ଭୁଞ୍ଜ-ପାନ କର
ସର,ଲବଣୀ,ଗୋରସ ।

