ବାପା
ବାପା
ବାପା ଯେଉଁ ଡାକରେ ଅତ୍ମୀୟତା ଥାଏ
ଯେଉଁ ଡାକରେ ଶକ୍ତି ସାହସ ମିଳିଥାଏ
ଯାହାଙ୍କ ଠାରୁ ଜୀବନ ଜୀଇଁବାର ମନ୍ତ୍ର ମିଳେ
ସନ୍ତାନ ପାଇଁ ଖାଲି ବନ୍ଧୁ ନୁହେଁ
ଦରଦୀ ବନ୍ଧୁଟିଏ ସିଏ
ସିଏ ନୌକା, ସିଏ ନାଉରି
ସ୍ନେହ ଆକାଶରେ ସୁଖ ପାରିଜାତ ସିଏ
ସେ ଆଉ କେହି ନୁହେଁ ବାପା ଆମ ବାପା
ଆମ ବାପା ।
ସୁଖଦୁଃଖରେ ଆମ ପାଖେ ପାଖେ ଅଛନ୍ତି
ଯିଏ କୋଦାଳ ଧରନ୍ତି, ଫସଲ ଲଗାନ୍ତି
ମାଇଲ ମାଇଲ ବାଟ ସାଇକେଲ ଚଳାନ୍ତି
ଭାତ ଯାଉ କି ତରକାରୀ ଲୁଣି ହେଉ
ରାଗରେ କେବେ ଫୋପାଡ଼ି ନାହାନ୍ତି
କେବେ କିଛି ଅଭିଯୋଗ କରିନାହାନ୍ତି
ବରଂ ପରିସ୍ଥିତିକୁ ବୁଝି ଆମକୁ ବୁଝାନ୍ତି
ଅର୍ଥର ଅଭାବ ପଣରେ ଉଦାସ ହୋଇଛନ୍ତି ପଛେ
ଅସହାୟତାର ବନ୍ଦ କୋଠରୀରେ କେବେ
କାନ୍ଦିବାର କେହି ଦେଖିନାହାନ୍ତି
ଈଶ୍ୱରଙ୍କ ଛଡା କେବେ କାହାକୁ
ହାତ ପାତିନାହାନ୍ତି
ସବୁ ଅବଶୋଷକୁ କପାଳରେ
ଚନ୍ଦନ,ତିଳକ କରି ପିନ୍ଧିଛନ୍ତି
ଦୁଃଖ ସବୁକୁ ଗରଳ ପରି ପିଇ ଦେଇ
ଆମ ମେରୁଦଣ୍ଡ ସାଜି
ବିଶ୍ୱାସ ଆଉ ଆଶ୍ୱାସନା ଦେଇ
ଛାତିକୁ ପଥର କରି ସମୟ ସହ ତାଳ ଦେଇ
ନିଜେ ଜଳି ନିଜ ଝାଳ ରକ୍ତରେ
ଆମ ଶରୀର ଗଢ଼ିଛନ୍ତି
ଆମ ବାପା
ପୂଜିବାକୁ ତାଙ୍କୁ ମନ୍ତ୍ର ନାହିଁ
ଅଭିଷେକ ପାଇଁ ଜଳ କାହିଁ ?
ପ୍ରତିଜ୍ଞା କରିଛନ୍ତି ସିଏ
ଯେତେ ଦୁଃଖ ଆସୁ, କାହା ସାଥେ କରିବେନି କଳି
ସବୁ ଯିବେ ସହି
ଜୀବନକୁ ଦେବି ଜାଳି ତୁମ ସୁଖ ପାଇଁ
ତୁମେ କେବେ ଝୁଣ୍ଟି ପଡିଲେ ବକ୍ଷ ପ୍ରସାରି
କୋଳେ ତୋଳିନେବି ମୁହିଁ
ତୁମେ ମୋର ମୁଁ ତୁମ ପାଇଁ ।
ବିରାଟ ବୃକ୍ଷ ହୋଇ ଯୋଗାଇବି ଛାଇ
ଏତେ ପ୍ରତିଶୃତି ଶୁଣି ଆମ ବାପାଙ୍କର
ଆମ ଇଚ୍ଛା
ପୂଜନୀୟ ବାପା, ଏତେତ ଦେଲଣି
ସବୁ ତୁମେ ଦେଇଥିବା ଦାନ
ତୁମ ପାଦ ଆମ ଆକାଶ ହେଲେ
ଆମ ମୁଣ୍ଡ ତୁମ ପାଦ ତଳେ ମାଟି
ତୁମରି ଆଶୀଷ ସଦା ଆମ ମୁଣ୍ଡେ ଥାଉ
ଆଉ କିଛି ଲୋଡ଼ା ନାହିଁ
ଆଉ କିଛି ଲୋଡ଼ା ନାହିଁ ।।