ବାପା ହେ
ବାପା ହେ
ବାପା ତୁମେ ପରା ଅମୃତ ପସରା
ଅଖିଳ ନାୟକ ସାଜି
କାନ୍ଧରେ ପକାଇ ଦୁନିଆ ବୁଲାଇ
ଶୁଖାଇ ଉଦର ସର୍ଜି।।
କାଦୁଅ ହାତରେ ଚଲାଇ ହାଟରେ
ମିଠାଇ ଦେଇଛ ମୁଖେ
କାଖରେ କୋଳେଇ ବୁକୁରେ ଖେଳେଇ
ଦେଇଛ ଲାଳିତ୍ୟ ସୁଖେ।।
ଅମା ଅନ୍ଧାରରେ ଚାଲିଅଛ କେତେ
ବିପଦ ଆପଦ ଗିଳି
ପଥରେ ଅରମା ଝୁଣ୍ଟିଲେ ଜାଣି,ମା
ଉଠାଇ ଝାଡ ମୋ,ଧୂଳୀ।।
ଘରଟା ଯାକର ରାଇଜ ଅଳିଆ
ମଥାରେ ଥୋଇଛ ଟେେକି
ଦାଣ୍ଡ ବାହାରକୁ ଆଗେ ଠିଆ ହୋଇ
ନିଜକୁ ଦେଇଛ ବିକି।।
ମାଆର ପଣତେ ଲୁଚାଇ କାନ୍ଦିଛ
ମୋ,ମୁଖରେ ହସ ଦେଇ
ମୋ ଅଝଟ ପଣ ସହିଛ ଆପଣ
ପରମ୍ପରା ଭାରା ସହି।।
ମାଟିର ମଣିଷ ମାଟିରେ ମିଶିଛ
ଚଟାଇ ଦିଅନା ଧୂଳୀ
ଶେୈଶବ ଓଠରେ ଭାଷା ଶିଖାଇଛ
ଦାରିଦ୍ର୍ୟକୁ ପଦେ ଦଳି।।
କହିଥିଲ ଯାହା ଭୋଗୁ ଅଛି ତାହା
ଦିବ୍ୟ ଅନୁପମ କଥା
ତୁମ କୃପାବଳେ ଏ ମର୍ତ୍ତ୍ୟ ମଣ୍ଡଳେ
ଟେକି ଅଛି ମୋର ମଥା।।
ଶୁଝି ନ ପାରଇ ତୁମ ତ୍ୟାଗବଳୀ
ଲୁହରେ ମାପୁଛି ସ୍ମୃତି
ତୁମରି ଆଦର୍ଶ ସମ୍ପତ୍ତି ଅଶେଷ
ହୋଇଛି ଆଜି,ମୋ କିର୍ତ୍ତୀ।।
ଅନ୍ତିମ ପ୍ରଣତୀ ଜଣାଏ ବିନତୀ
ଦୋଷ ମୋର କ୍ଷମାକର
ଅନନ୍ତ ପୁରୁଷ ଅମୃତ ପରଶ
ସରସ ହେଉ ସଂସାର।।