କାବ୍ୟ ନାୟିକା
କାବ୍ୟ ନାୟିକା
ମୋ ମନ ରାଗିଣି ତୁମେ ସୁହାଗିନୀ
ମୋ ମନର ପ୍ରୀତିଛନ୍ଦା.
ଫଗୁଣ ମଳୟେ ପ୍ରୀତି ମୋ ହୃଦୟେ
ଫୁଟଇ ରଜନୀ ଗନ୍ଧା !
ହଂସ ଗାମିନୀ ହେ ଥିରି ଥିରି ପାଦେ
ନୁପୁରର ରୁଣୁଝୁଣୁ
ଯୋଗୀ ଯୋଗ ଟଳେ ତୁମ ପ୍ରେମ ଭାଳେ
ହଜାଇ ପ୍ରେମରେ ତନୁ !
କବରି ଗଭାରେ ସଜ ଫୁଟା ଫୁଲେ
ମୃଦୁ ମୃଦୁ ବାସ ଝରେ
କରେ ରଙ୍ଗାୟିତ ତୁମ ପ୍ରୀତି ଛନ୍ଦ
ପ୍ରୀତି ନିଶା ମୋତେ ଘାରେ !
ଉର୍ବଶୀ ମେନକା ପଡିଯିବେ ଫିକା
ତନୁଟି ସୌନ୍ଦଯ୍ୟେ ଭରା.
ଗଢ଼ିଛି ବିଧାତା କେଉଁ ଦ୍ରବ୍ୟେ ଅବା
ପଦ୍ମ ଫୁଟେ ତନୁ ସାରା !
ଧରିଛି ଲିଖନୀ ଭାବୁଛି ମାନିନୀ
ସୌନ୍ଦର୍ଯ୍ୟ ମୋହିନୀ ପ୍ରିୟା
ଯେତେ ଲେଖୁଥିଲେ ଅଧା ଅଧା ଲାଗେ
ସରେନି ବର୍ଣ୍ଣନା କାୟା !
କାହିଁକି କେଜାଣି ଉଠଇ ଉଜାଣି
ଦେଖି ତେରେଛା ଚାହାଣି.
ପ୍ରୀତି ରସେ ପୂର୍ଣ୍ଣ ହୋଇଯାଏ ମନ
ଚାହାଣି କଲା କି ଗୁଣି !
ସାଗର ବକ୍ଷର ଲହରୀର ମାଳ
ହୋଇ ପିଟି ହୁଅ କୂଳେ
ଚାଲିଯାଅ ତୁମେ ବହୁ ଦୂରେ ପୁଣି
କୂଳ ଚାହିଁଛି ବିକଳେ !
ସଜ ଫୁଟା ଫୁଲ ହୋଇ ଫୁଟି ଯାଅ
ହୃଦୟ ମନ୍ଦିରେ ମୋର
ମଧୁପ ହୋଇ ମୁଁ ନିତି ଖୋଜୁଥାଏ
ଚୁମିବାକୁ ଓଠ ତୋର !
ଭାବନାରେ ଆସ ସପନରେ ଆସ
ମୋ ପାଖକୁ ପ୍ରିୟା ତୁମେ
ମହକି ଉଠଇ ଅତର ବାସନା
ଭରି ଦିଅ ତ ଚୁମ୍ବନେ !
ଖେଳ ଲୁଚକାଳି ପ୍ରୀତି ଫୁଲ ଢାଳି
ମନ ପଡିଯାଏ ଫିକା.
ମୋ ଲେଖନୀ ମୁନ ଝୁରେ ତୁମ ଗୁଣ
ତୁମେ ମୋ କାବ୍ୟ ନାୟିକା !