ବୋଉଲୋ,ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ବୋଉଲୋ,ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଶରତ ଆସର ଶୀତ ମଗୁଶୁର
ପୂଜା ପାର୍ବଣକୁ ଧାଉଁଛି ।।ଠ।।
ବଜାର ଗହଳି ହଜାରେ ମଉଳୀ
ଗଳିକନ୍ଦି ଖାଲି ହଲୁଛି
ପରିବାର ଦର ଦରଶନ ଛାର
ବୀରାସନ ପାରି ବସିଛି
ଯିଏ ଯାହା କହୁ ସାକ୍ଷୀ ମହାବାହୁ
ଭଷାଣୀ ଭସେଇ ନେଉଛି।।୧।।
ଶାସନର କଳ କଳେବର ଖଳ
ଦଳଦଳ ହୋଇ ଚଳୁଛି
ଭାଗ୍ୟକୁ ଆଦରି ନାବିକ ସେପାରି
ବେପରୁଆ ବୁଦ୍ଧି କଳୁଛି
ସମୟ ହାତରେ ଜୀବିକା ଛାତରେ
ଜୀବନ ଶଗଡ ଚଢୁଛି।।୨।।
ଦୁତିଆ ଓଷାରେ ଚୁଟିଆ ମୂଷାଟି
ହାଣ୍ଡିଶାଳେ ଚାନ୍ଦା ମାଗୁଛି
କାହାର ବଢୁଛି କାହାର ଛିଡୁଛି
ଭଲଗାଈ ଛନ୍ଦ ପଡିଛି
ସାହିତ୍ୟ ଆସର ସହିତ ବେପାର
ଜାକ୍ ଯମକରେ ଝୁଲୁଛି।। ୩ ।।
ମଉକା ପଡିଛି ସ୍ୱୀକାର ନାଇଛି
କିଏ କହାପାଇଁ ଧାଉଁଛି
ନଦୀଧାଉଁଥାଏ ସାଗରକୁ ସିନା
ଝରଣା କେନାଲ କାନ୍ଦୁଛି
ବୟସ ସରସ ଭାବନା ଅଶେଷ
ଧରମ ମାସଟି ଡାକୁଛି।।୪।।
ପ୍ରଗତି ରଥରେ ଭାରତ କାନ୍ଥରେ
ଭାରତୀ ପଥରେ ବଢିଛି
ଯୋଜନା ଅନେକ ଯାତନା ସେପାଖ
ଯୋଜନ ଯୋଜନ ଲମ୍ବିଛି
ନଈ ଦୁଇ ଧାର ଧାରଣାର କୂଳ
କଳକଳ ହୋଇ ବହୁଛି।।୫।।
ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି।।।
