ବୁଝାବଣା
ବୁଝାବଣା
ବୁଝାବଣାର ଅଭାବ ଅନର୍ଥ କାରଣ
ମତାନ୍ତର ମନାନ୍ତର ହୁଏ ଉତପନ୍ନ ।
ମନାନ୍ତରୁ ହିଂସା ବାଦ ବୈରତା ଉଦ୍ଭଵ
ତୁଟାଏ ସମ୍ପର୍କ ଦୁଃଖ ଭୋଗଇ ମାନବ ।
ନିଜ ଲୋକ ପର ହୁଏ ଘର ହୁଏ ନର୍କ
ହୃଦୟରେ ଜଳୁଥାଏ ଅଶାନ୍ତି ପାବକ ।
ଆଜିକାଲି ନର ନାରୀ ପ୍ରାୟ ସ୍ୱାର୍ଥପର
ହେତୁବାଦୀ ବସ୍ତୁବାଦୀ ପରଶ୍ରୀକାତର ।
ଜ୍ଞାନ ବୁଦ୍ଧି ବିବେକର ଘଟିଛି ବିଲୟ
ବିଚାର ବୁଝାମଣାର ଘଟେ ଅବକ୍ଷୟ ।
ଘରେ ଘରେ ଗ୍ରାମେ ଗ୍ରାମେ ରାଜ୍ୟ ରାଜ୍ୟାନ୍ତରେ
ଦେଶ ଦେଶରେ ବିବାଦ ଦୃଷ୍ଟ ଏ ବିଶ୍ୱରେ ।
ପିତାଠାରୁ ପୁତ୍ର ହୋଇ ଯାଉଛି ଅନ୍ତର
ସହୋଦର ଭାଇ ହୋଇଯାଏ ସାତପର ।
ପଡୋଶୀ ପଡୋଶୀ ମଧ୍ୟେ ଲାଗଇ କଲହ
ବନ୍ଧୁ ବାନ୍ଧବରେ ମନାନ୍ତର ଅହରହ ।
ବୁଝାମଣା ଅଭାବରୁ ପତି ପତ୍ନୀ କଳି
ସବୁ ଦୁଃଖଠାରୁ ଏହି ଦୁଃଖ ଯାଏ ବଳି ।
ସୁନାର ସଂସାର ଏଥେ ହୋଇଯାଏ ଚୂନା
ପ୍ରେମ ପ୍ରୀତି ପରାହତ ସୃଷ୍ଟି ହୁଏ ଘୃଣା ।
ସୃଷ୍ଟି ଶ୍ରେଷ୍ଠ ଜୀବ ନର ବିଚାର ସମ୍ପନ୍ନ
ଦିବ୍ୟ ଜ୍ଞାନ ମନ ଦେଇଛନ୍ତି ନାରାୟଣ ।
ପରସ୍ପର ବୁଝାମଣା କର ଆଲୋଚନା
ହୁଅ ସତ୍ୟ ନ୍ୟାୟୀ ତେଜ କପଟ ଛଳନା ।
ଅନ୍ତର ନିର୍ମଳ ହେଲେ ତୁଟିବ କଳ୍ମଷ
ବୁଝାମଣା ବଳେ କର ଜଗତକୁ ଵଶ ।