ଛାଇ ଆଲୁଅର ଖେଳ
ଛାଇ ଆଲୁଅର ଖେଳ
ମଣିଷ ମନର ଅହମିକା ଯେତେ
ଛାଇ ଆଲୁଅର ଖେଳ
ଖରା ଚାଲିଗଲେ ଛାଇବି ନଥିବ
ଡାକୁ ଥିବ ଧୀରେ କାଳ l
ତୁଚ୍ଛା ଗର୍ବ ଦମ୍ଭ କେହି ନୁହେଁ କା'ର
ମାୟା ମରୀଚିକା ଖେଳ
ସଭିଏଁ ତ ଏଠି ସୁଖର ସାରଥୀ
ଦୁଃଖୀ ପାଇଁ ନାହିଁ ବେଳ l
ସ୍ୱାର୍ଥପର ଏହି ମଣିଷ ମନଟା
ପଶୁ ଠାରୁ ହୀନ କ୍ରୁର
ନରକ ଯନ୍ତ୍ରଣା ଭୋଗିଲେବି ସେତ
ଛାଡେନି ହିଂସାର ଖେଳ l
ଗୀର୍ଜା, ଗୁରୁଦ୍ୱାର, ମନ୍ଦିର,ମସଜିଦ
ସବୁଠି ଭକତ ଭିଡ଼
ନାହିଁ ଭକ୍ତି ଭାବ ତ୍ୟାଗର ପ୍ରତୀକ
ବିଗିଡ଼ିଲେ ଢେଲା ମାଡ଼ l
କିଏସେ ମାରୁଛି, କିଏବା ମରୁଛି
ସେ ପାଇଁକି ନାହିଁ ଚିନ୍ତା
ଵିପଦୁ କାହାକୁ ଉଦ୍ଧାରିବା ପାଇଁ
ନାହିଁ କା'ର ଶୁଭ ବାର୍ତ୍ତା&nb
sp;l
ତଥାପି ମଣିଷ ଖୋଜୁଛି ଦରବ
ପୀଡିତ ଜନଙ୍କ ଠାରୁ
ଟଙ୍କା, ସୁନା ଅବା ଦାମିକା ଜିନିଷ
ମିଳିବ କି କା'ପାଖରୁ l
ଲୁଣ୍ଠନକାରୀ ଠୁ ଆହୁରି ନିଷ୍ଠୁର
ସଭ୍ୟ ଏ ମଣିଷ ଜାତି
ଦୁଃଖୀର ଦୁଃଖ କୁ ସହିସେ ପାରୁଛି
ରକତ ଉଠୁନି ତାତି l
ହୃଦୟେ ଯାହାର ନାହିଁ ଦୟା କ୍ଷମା
ସିଏକି ମଣିଷେ ଗଣା
ଈଶ୍ୱର ସୃଷ୍ଟିରେ ଏ ମର ସଂସାରେ
ସତେକି ସେ ବାଟ ବଣା l
ଦମ୍ଭ ଅହଂକାର କିଛି ନୁହେଁ ସାର
ସ୍ରଷ୍ଟାଙ୍କ ଆଦେଶ ବଳେ
ଅତୁଟ ବିଶ୍ୱାସ ପ୍ରଭୁ ଆରାଧନା
ଚାଲ ଧରି କର୍ମ ସ୍ଥଳେ l
ଜନ୍ମଠୁ ମରଣ କଥା ଦି ଦିନର
ସବୁ ପରା କ୍ଷଣ ସ୍ଥାୟୀ
ସେଵା,ଧର୍ମ, କର୍ମ ସଙ୍ଗେ ଥିବ ଯା'ର
ସେହି ହେବ କାଳ ଜୟୀ l