ବାଙ୍କଚୂଡ ବେଶ
ବାଙ୍କଚୂଡ ବେଶ
ଜଗତ କରତା ବୋଲାଇ ଯେ ତୁମେ
ନୀଳକନ୍ଦରେ ବସିଛ
ଭକତ ଜନଙ୍କ ମନ ମୋହି ବାକୁ
କେତେ ଯେ ବେଶ ହେଉଛ ।
ବେଶରେ ବେଶ ଯେ ବାଙ୍କଚୂଡ ବେଶ
ନାମ ହିସାବରେ ଶୋହେ
କାର୍ତ୍ତିକ ମାସର ଶୁକ୍ଳ ଦ୍ଵାଦଶୀରେ
ପଞ୍ଚକ ଦି ଦିନେ ପଡ଼େ ।
ସ୍ମୃତିରେ ଭରା ଯେ ସ୍ମୃତିର ପସରା
ପ୍ରତି ଯୁଗ କଥା କହେ
ଅବତାରୀ ବୋଲି କହିଥାଅ ପୁଣି
ଏ କଥା ବି ମିଛ ନୁହେଁ ।
ମନେ ପଡିଲା କି ଗୋପର କାହାଣୀ
ଗୋପ ଗୋପାଳୁଣୀ କଥା
ମନେ ପଡିଲେ କି ଭକତ ଅକୁର
କଂସ ମାମୁଁର ଚରଚା ।
ଅକ୍ରୁର ଆସିଲା କଂସର ଆଦେଶେ
ସଙ୍ଗେ ନେଇଯିବା ପାଇଁ
ବାହାରି ପଡିଲ ଆଗଭର ହୋଇ
ଚୂଳ ମୁକୁଳା ଯେ ଥାଇ ।
ଚୁଡା ବଙ୍କି ଥିଲା ଡାହାଣ ପଟକୁ
ସମସ୍ତେ ବ୍ୟସ୍ତ ବିବ୍ରତ
ଅକ୍ରୁର ସଙ୍ଗତେ ଯାଇ ଥିଲ ପ୍ରଭୁ
ସଙ୍ଗେ ନେଇ ଜ୍ୟେଷ୍ଠ ଭ୍ରାତ ।
ମନେ ପଡିଅଛି ସେଇ ଦିନ କଥା
ବାଙ୍କ ଚୂଡ଼ ବାନ୍ଧି ଅଛ
ହାତରେ ବଇଁଶୀ ଶଙ୍ଖ ଚକ୍ର ଧରି
ତୁମେ ଉଭା ହୋଇଅଛ ।
ବଡ ଭାଇ ହାତେ ହଳ ଓ ମୂଷଳ
ସୁବର୍ଣ୍ଣ ହସ୍ତ ପୟର
ବାଙ୍କ ଚୂତ ସଙ୍ଗେ ସୁନା କିଆ ପୁଣି
ଦିଶେ ଅତି ମନୋହର ।
ସୁନା ଅଳଙ୍କାରେ ସଜ୍ଜିତ ହୋଇଛ
ଅପୂର୍ବ ସେ ବେଶ ଦିଶେ
ଭକତ ଜନଙ୍କ ମନ ମୋହୁ ଅଛ
ମନ ଯେ ମହକି ଯାଏ ।
ସୁନା ଅଳଙ୍କାର ତୁଳସୀ ଦୟଣା
ପୁଷ୍ପ ମାଳେ ବିଭୂଷିତ
ଏ ବେଶ ଦର୍ଶନେ ମୋଷ ପ୍ରାପ୍ତି ହୁଏ
ବେଶ ବଖାଣଇ ତତ୍ତ୍ଵ ।
ବାଙ୍କଚୂଡ ବେଶେ ସ୍ମୃତି ଚାରଣରେ
ଅକ୍ରୁର ଭକ୍ତେ ଯେ ଝୁରୁଛ
ଗୋପଲୀଳା କଥା ମନେ ପକାଉଛ
କୃଷ୍ଣ ତତ୍ତ୍ଵ ବଖାଣୁଛ ।
ମାନବୀୟ ଲୀଳା ନୀଳାଚଳେ କର
ବେଶେ ବାଣ୍ଟ ତତ୍ତ୍ଵ କଥା
ମାନବ ଜାତିକୁ ତତ୍ତ୍ଵରେ ତତ୍ତ୍ଵରେ
ଶୁଣାଅ ଜୀବନ ଗାଥା ।
ତତ୍ତ୍ଵ ମୟ ତୁମେ ଆହେ ଲୀଳାମୟ
ଜୀବନ ତତ୍ତ୍ଵ ଶିଖାଅ
ଭକତ ପାଇଁ କି ଆହେ ଦୟାମୟ
କେତେ ଯେ କଷ୍ଟ ସହିଛ ।
ଭାବିଲ କି ପ୍ରଭୁ ଭକ୍ତ ଅକ୍ରୁରକୁ
ଏ ଜଗତ ଭୁଲି ଗଲା
ସେଥିପାଇଁ କିବା ଏ ବେଶ ହୋଇଛ
ଆହେ ନନ୍ଦର ଦୁଲାରା ।
ଅକ୍ରୁର ଭାବକୁ ଚିହ୍ନା ଉଛ କିବା
ବାଙ୍କଚୂଡ ବେଶ ହୋଇ
ତାଙ୍କ ହୃଦୟର ଦୃଢ ବିଶ୍ୱାସକୁ
ଜଗତେ ଯାଉଛ କହି ।
ତୁମ କଥା ପ୍ରଭୁ ତୁମେ ହିଁ ଜାଣିଛ
ମୁଁ ଛାର ନଗଣ୍ୟ ଜୀବ
ଏ ସାରା ବିଶ୍ଵର ସନ୍ତାପ ହର ହେ
ତତ୍ତ୍ଵ ମୟ ମୋ ଠାକୁର ।
