ବାମନ ଜନ୍ମ
ବାମନ ଜନ୍ମ
ପୁରାଣ ବର୍ଣ୍ଣିତ ବଳୀ ବାମନର କଥା
ପଢ଼ିଲେ ଶୁଣିଲେ ଦୂର ଭବ ଭୟ ବ୍ୟଥା
ଦାନୀ ରାଜା ବଳୀ ମହା ପରାକ୍ରମୀ ପୁଣି
ସ୍ଵର୍ଗପୁର ଆକ୍ରମଣରେ ଦେବଙ୍କ ଭାଳେଣି
ସମୁଦ୍ର ମନ୍ଥନେ ବଳୀ ଥିଲେ ପରାଜିତ
ପରାଜିତ ଜ୍ୱାଳାରେ ହୋଇଲେ ବ୍ୟଥିତ
ପରାମର୍ଶ ମାନି ଗୁରୁ ଶୁକ୍ରାଚାର୍ଯ୍ୟଙ୍କର
ଅଶ୍ୱମେଧ ଯଜ୍ଞ କଲେ ନିଷ୍ଠା ସହକାର
ମାରାତ୍ମକ ଅସ୍ତ୍ରଶସ୍ତ୍ର ହେଲା ଯେବେ ପ୍ରାପ୍ତ
ସ୍ୱର୍ଗପୁର ଆକ୍ରମଣରେ କରିଲେ ବିଧ୍ବସ୍ତ
ଦେବଗଣ ବିଷ୍ଣୁ ପାଶେ କଲେ ନିବେଦନ
ଯୋଜନା କରିଲେ ସ୍ଵୟଂ ପ୍ରଭୁ ନାରାୟଣ
ପଞ୍ଚମ ଅବତାର ରୂପେ ହୋଇଲେ ବାମନ
ବଳୀ ବିନାଶ ଯୋଜନା ହୋଇଲା ଭିଆଣ
ବୈକୁଣ୍ଠ ପୁରକୁ ଛାଡ଼ି ଚଳିଲେ ଶ୍ରୀ ହରି
ବାମନ ବେଶରେ ପହଞ୍ଚିଲେ ଦୈତ୍ୟପୁରି
ବଳୀ ଦ୍ୱାରେ ଉଭା ହାତେ ଧରି ଭିକ୍ଷା ଥାଳି
ଡାକ ଦେଲେ ଦାନ ଦିଅ ଦାନ ବୀର ବଳୀ
ବାମନ ବିପ୍ରଙ୍କୁ ବଳୀ କଲା ଆମନ୍ତ୍ରଣ
ଭକ୍ତି ଭରେ କଲା ପୁଣି ପାଦ ପ୍ରକ୍ଷାଳନ
ମାୟାଧର ମାୟା ରଚିଥିଲେ ବଳୀ ଦ୍ୱାରେ
ଦାନ ପାଇଁ ସତ୍ୟ କରିବାକୁ ପ୍ରଥମରେ
ଦାନ ପ୍ରିୟ ବଳୀ ଶଙ୍ଖେ ପାଣି ଟେକି ଦେଲା
ଯାହା ମାଗିଲେ ଦାନ ଦେବାକୁ ସତ୍ୟ କଲା।
ବାମନ-ହରି ମାଗିଲେ ଜମି ତିନି ପାଦ
ଦାନ ଆକାରରେ ମାତ୍ର ଜମି ତିନି ପାଦ
ସେ ସମୟେ ଶୁକ୍ରାଚାର୍ଯ୍ୟ ବଳୀକୁ କହିଲେ
ବାମନ ବେଶ ଶ୍ରୀ ହରି ଆସିଛନ୍ତି ଭଲେ
ସତ୍ୟ କରି ବଳୀ ପଛ କଥା ନ ଶୁଣିଲେ
ଦାନ ବାକ୍ୟ ରକ୍ଷା ପାଇଁ ଆଗଭର ହେଲେ।
ବାମନ ରୂପୀ ଶ୍ରୀ ହରି ମାୟା ଭିଆଇଲେ
ବଳୀ ବିନାଶ ଯୋଜନା ପ୍ରସ୍ତୁତ କରିଲେ
ଏକ ପାଦ ବ୍ୟାପି ଗଲା ସାରା ଭୁମଣ୍ଡଳ
ଦ୍ଵିତୀୟରେ ଆଚ୍ଛାଦିତ ଅନ୍ତରୀକ୍ଷ ସ୍ଥଳ
ତୃତୀୟ ପାଦ ପାଇଁ ବଳୀକୁ ପଚାରିଲେ
ତୃତୀୟ ପାଦ ପାଇଁ ହିଁ ଜାଗା ଦିଅ ଭଲେ।
ମଥାକୁ ନୁଆଁଇ ଶିର ଦେଖାଇଲା ବଳୀ
ଚାପିଲେ ଶ୍ରୀ ହରି ପାତାଳକୁ ଗଲା ଚଳି
ଜୟ ଜୟ ଧ୍ୱନୀରେ ଦେବଗଣ ନାଚିଲେ
ଆକାଶରୁ ପୁଷ୍ପ ବୃଷ୍ଠି କରି ଖୁସି ହେଲେ।
ପ୍ରଭୁଙ୍କୁ ବର ମାଗିଲା ବଳୀ ଦାନ ବୀର
ତଥାସ୍ତୁ କହି ଦ୍ଵାରପାଳ ହେଲେ ସେ ପୁର
ଶ୍ରୀ ଲକ୍ଷ୍ମୀ ଜାଣିଲେ ପ୍ରଭୁ ଶ୍ରୀ ହରିଙ୍କ କଥା
ନାରଦ ଠୁ ବୁଝିଗଲେ ଚଳନ୍ତି ଅବସ୍ଥା
ପାତାଳ ପୁରେ ବଳୀକୁ ଭାଇ ରୂପେ ବରି
ରାକ୍ଷୀ ବାନ୍ଧି ଶ୍ରୀ ହରି ଙ୍କୁ ପାଇଥିଲେ ଫେରି।
ଦୁଷ୍ଟ ଦଳନ ନିମନ୍ତେ ଯୁଗେ ଯୁଗେ ହରି
ଅବତାର ନେଇଥାନ୍ତି ପ୍ରଭୁ ଏହିପରି
ପଞ୍ଚମାବତାରେ ବଳୀ-ଗଞ୍ଜନ ସତ୍ୟରେ
ବାମନାବତାର ଜୟ ଜଗଦୀଶ ହରେ
ବାମନ ବେଶ ହେଉଛି ଶ୍ରୀ ମନ୍ଦିରରେ
ଭାଦ୍ରବ ମାସର ଶୁକ୍ଳ ଦ୍ୱାଦଶୀ ତିଥିରେ
ଶ୍ରୀ ଜଗନ୍ନାଥ ବାମନ ଭାବେ ପରିଚିତ
ରଥଯାତ୍ରା ସମୟରେ ହୁଅଇ କଥିତ
"ରଥେ ତୁ ବାମନମ୍ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ "
ଜୟଦେବଙ୍କ ବର୍ଣ୍ଣନାରେ
ଛଳୟସି ବିକ୍ରମେଣ ବଳୀମଦ୍ଭୁତ ବାମନ
ପଦନଖ ନିର ଜନିତ ଜନ ପାବନ
ଜୟ ଜଗଦୀଶ ହରେ।
