ବାଇମନ ଚଉତିଶା।
ବାଇମନ ଚଉତିଶା।
କଦମ୍ବ ମୁଳିଆ ସେ ବାଙ୍କ ଚୁଲିଆ
କମ୍ବୁ କଟକର ସେ ନଟଖଟିଆ
କରରେ ଦର୍ଶନ ହୋଇବୁ ମୋଚନ
କାହିଁ କର ମନ କୃଷ୍ଣେହେୟ ଜ୍ଞାନ
ଖଟି ଖଟି ହଡା ତୋ ଖଣ୍ଡ ପଞ୍ଜରା
ଖାଇଯିବେ ଖଣ୍ଟ ମରିବୁ ବିଚରା
ଖଳୁମନେ ହେଜ ବିଷୟାକୁ ତେଜ
ଖଞ୍ଜଣି ଭଜନେ ଜଗନ୍ନାଥ ଭଜ
ଗଧ ଖଟଣି ଖଟି ଅର୍ଜିଛୁ ଧନ
ଗାଇନୁ ଦିନେ ହେଲେ ହରି କୀର୍ତ୍ତନ
ଗଣ୍ଠିଲି ବାନ୍ଧି କିଏ ନେବେନି ସ୍ୱର୍ଗେ
ଗାହଣ ଗାଉଥିବୁ ପଡ଼ିବୁ ନର୍କେ
ଘର ଜଞ୍ଜାଳ ଆଉ ସଂସାର ମାୟା
ଘଣ୍ଟିକା ଛାଡି ଉଡିଜିବ ଟି କାୟା
ଘରେ ସିଞ୍ଚିବେ ବାବୁ ଗୋବର ପାଣି
ଘଡ଼ିଏ କାନ୍ଦି ସର୍ବେ ହୋଇବେ ତୁନି
ଉଠିଲେ ଘଟ ତୋତେ ଭୁତ କହିବେ
ଉପାୟ ପାଞ୍ଚି ଘରଣୀ ଦେହ କିଳିବେ
ଉଦ୍ଧରି ନେବେ ତତେ ଭବ ସାଗରୁ
ଉଚ୍ଚାର ରାମ କୃଷ୍ଣ ସେହି ତୋ ଗୁରୁ
ଚମକୁଅଛି ଶରୀର ପିତୁଳା ପ୍ରାୟ
ଚର୍ମ ଢ଼ାଙ୍କୁଣୀ ତଳ ନଶ୍ୱର ଦେହ
ଚିତ୍ତେ ତୁ ଚିନ୍ତ ବାରେ ଚିନ୍ତାମଣୀଙ୍କୁ
ଚତୁ୍ଃପାର୍ଶେ ଅଛନ୍ତି ଚିହ୍ନ ତୁ ତାଙ୍କୁ
ଛଇଳା ଛନ୍ଦେ ଛନ୍ଦି ହେଉ ତୁ ସଜ
ଛଇ ଦେଖନା ମନ ଗୋବିନ୍ଦ ଭଜ
ଛୁଟିବ ଯେବେ ଜୀବ ନିର୍ମାଲ୍ୟ ଲୋଡ଼ା
ଛୁଆଁ ହେବେ ଛୁଇଁଲେ କହିବେ ମଡା
ଜଣେ ସଙ୍ଗେ ନ ଯିବେ ଛୁଟିଲେ ଘଟ
ଜୀଇଁବୁ କେତେ ଦିନ ବାନ୍ଧୁଛୁ ଆଣ୍ଟ
ଯେତେକ ଧର୍ମ କର୍ମ ଯିବ ତୋ ସାଥ
ଜୟୀ ହୋଇବୁ ଭଜ ଜଗତନାଥ
ଝରୁଛି ପଦ୍ମ ମଧୁ ପାନ ତୁ କର
ଝିଙ୍ଗାସି ହୁଅ ନାହିଁ ଧର୍ମ ଆଚର
ଝଡ଼ିଲା ପକ୍ଵ ପତ୍ର ପ୍ରାୟ ଜୀବନ
ଝୁଣ୍ଟି ପଡିଲେ ଦେହୁ ହଜିବ ଜ୍ଞାନ
ନଚାହାଁ ପାପ ନେତ୍ରେ ବାଇଆମନ
ନୟନ ଦେଖେ ନିଶି ଦିବସେ ସ୍ୱପ୍ନ
ନତମସ୍ତକେ ଯିବୁ ଶୁନ୍ୟ ମନ୍ଦିରେ
ନଥିବ ମୋହ ମାୟା ହୃଦକନ୍ଦରେ
ଟିଙ୍କ ପରି ଧରିଛୁ ସବୁ ମୁକାରି
ଟାଙ୍କି ରଖିଛୁ ଧନରତ୍ନ ଆବୋରି
ଟାଣି ଓଟାରି ସବୁ ନେବେଟି ଖଣ୍ଟ
ଟାଣେ କହିଲେ ଥୁଆ ଟାଙ୍ଗିଆ ବେଣ୍ଟ
ଠଙ୍ଗିଠୋକର ଛିଡି ଯିବ ତୋହର
ଠକି ଯିବୁରେ ମନ ଉପାୟ କର
ଠିକେ ଠିକେ କହୁଛି ମୋ କଥା ଶୁଣ
ଠକ ଭଣ୍ଡାମି ଛାଡି କର ଜଣାଣ
ଡାକ ଅକୁଣ୍ଠ ଚିତ୍ତେ ଶ୍ରୀପଦ୍ମନାଭ
ଡେରିଛନ୍ତି ଶ୍ରବଣ ସେ ରାଧାଧବ
ଡଙ୍ଗା ଲଗାଇଦେବେ କୂଳରେ ନେଇ
ଡୁବିଲେ ମୋକ୍ଷ ଦେବେ ବୈକୁଣ୍ଠ ସାଇଁ
ଢଳ ଢଳ ସୁନୀଳ ସରସି ଜଳ
ଢଳି ଗଲେ ଜୀବନ ହେବ ଅଚଳ
ଢେଙ୍ଗୁରା ପିଟି ନେବେ ସ୍ମଶାନ ଭୁଇଁ
ଢୁମ୍ପା ସଙ୍ଗୀତ ଗାଅମୁକତି ପାଇଁ
ନ'କରୁ ଦାନ ବୋଲୁ ସବୁ ମୋହରି
ନଭେ ଗଲେ ଜିବାତ୍ମା ନୁହେଁ କାହାରି
ନିର୍ମାଲ୍ୟ ପାଣି ଭାଗ୍ୟେ ଥିବ କି ନାହିଁ
ନାଟ ଅଢେଇ ଦିନକୁ ରଚୁଛୁ କାହିଁ
ତୋହର ଆଗେ ଯେତେ ଗଲେଣି ଜନ
ତେଣିକି ବୋହି ନେଲେ କେ କେତେ ଧନ
ତୋ ସୁଢ଼ଳଶରୀର ନୁହଁଇ ତୋର
ତୁଚ୍ଛାକୁ ଆବୋରିଛୁ ଏସବୁ ମୋର
ଥକାମନ ମୋ କଥା ହୃଦରେ ଭାଳ
ଥାଟ ନୃପତି ଭବେ ଥିଲେ ପ୍ରବଳ
ଥୟେ କେ ଭୋଗ କଲେ ସାଶନ କଳ
ଥାଉ ସମୟ ତୁହି ତୋତେ ସମ୍ଭାଳ
ଦୁଇ ନିଆଁ ମଝିରେ ଏହି ଦୁନିଆଁ
ଦୂରଦୃଷ୍ଟିରେ ଦେଖ ତୋ ଯୁଇ ନିଆଁ
ଦଣ୍ଡିବେ ଯମଦୂତ ନରକେ ନେଇ
ଦେବେ ନାନା କଷଣ ଲୁହା ତତେଇ
ଧର୍ମ ଅର୍ଜିବୁ ମନ ଧରମ କରି
ଧର୍ମେ ପ୍ରାପତ ପ୍ରଭୁ ଶ୍ରୀନରହରି
ଧନ୍ଦି ନ ହେବୁ କେବେ ସମ୍ପଦ ପାଇଁ
ଧର୍ମ ହିଁ ସଖା ଶେଷ ଯାତ୍ରାର ପାଇଁ
ନର୍କ ଯନ୍ତ୍ରଣା ତୋତେ ଛୁଇଁବ ନାହିଁ
ନିମିଷେ ହରି ଭକ୍ତେ ନେବେରେ ବୋହି
ନିନ୍ଦା ନ'କର ଇତରେ "ଓଁ" କୁ ସ୍ମର
ନିତ୍ୟ ସ୍ୱାଧ୍ୟାୟକର୍ମ ଜାବୁଡି ଧର
ପୂର୍ବେ ଉଦୟ ଯେହ୍ନେ ବାଳ ଅରୁଣ
ପ୍ରତି ଶରୀରେ ତେହ୍ନେ ଶ୍ରୀନାରାୟଣ
ପରଛିଦ୍ର କୁ ଦେଖି ଗଲା ତୋ ଦିନ
ପାଇବୁ କେଉଁ ଯଶ ରେ ଭୁଲା ମନ
ଫନ୍ଦି ନ କରି ଆଶ୍ରା କର ପ୍ରଭୁଙ୍କୁ
ଫଳିବ ମାନସିକ ଲଭିବୁ ତାଙ୍କୁ
ଫାଶ ତୁ ବିଛାଇଲେ ପର ପାଇଁକି
ଫାଶେ ପଡ଼ିବୁ ନିଜେ ଜଣାନାହିଁ କି
ବେଳ ଗଡି ଯାଉଛି ବିଚାର କର
ବହିବୁ ନର୍କେ ଦୁଃଖ କଷ୍ଟ ଅପାର
ବପୁରେ ପୁରିଛି ତୋ' ନାନାଦି ରୋଗ
ବାଉଳା ପ୍ରାୟଲୋଡୁ ଭୌତିକ ସୁଖ
ଭଙ୍ଗୀଭଙ୍ଗୀଚାରେ ତୁ କରୁ ତାତ୍ସଲ୍ୟ
ଭକୁଆ ଚିନ୍ତୁ ଆନେ ଅହଂ ପ୍ରାବଲ୍ୟ
ଭାଙ୍ଗିଲୁ ପର ଘର ଭେଳା ବୁଡାଇ
ଭୂତେ ତୁ ଲୀନ ହେବୁ ବଡେଇ କାହିଁ
ମଲା ଗଲା ସଂସାର କିଏ କାହାର
ମାୟା ମୋହରେ ହେଉ ତୁ ହରବର
ମୋହ,ମଦ ମାତ୍ସର୍ଯ୍ୟ ଲୋଭ ତୋହର
ମଲେ ମୁଠେ ପାଉଁଶ ହେବ ଶରୀର
ଯଶ ଖ୍ୟାତି ହୋଇବ ପଥ ସଙ୍ଖାଳି
ଯମ ଯାତନା ଦେବ କର୍ମକୁ ଭାଳି
ଯିବୁ ସମନପୁର ନେବୁ ମେଲାଣି
ଜନେ ଆହା ବୋଲିବେ ସଙ୍ଗେ ଯିବେନି
ରିକ୍ତ ହସ୍ତରେ ଯିବୁ ସମନପୁର
ରଜ ତମ ଗୁଣକୁ କରରେ ଦୂର
ରଂଗଶାଳା ହରିଣୀ ଦେଖିଣ ବାଇ
ରତନ ମୃଗ ଭାବି ଧାଉଁଛୁ ତୁହି
ଲଭିଛୁ ଜନ୍ମ ମର୍ତ୍ୟେ ମୃତ୍ୟୁତୋ ଅଛି
ଲୁଚିଲେ କାଳଫାସ ଛାଡ଼ିଦେବ କି
ଲକ୍ଷ୍ମୀକାନ୍ତ ପୟରେ ଲକ୍ଷ ତୁ ରଖ
ଲଭି ବୈକୁଣ୍ଠ ପୁର ପାଇବୁ ସୁଖ
ବିପଦ ବେଳେ ସାହା ଜଗତ ସାଇଁ
ବିଷୟା ବିଷ ତେଜ ମନୁଆଁ ବାଇ
ବିତ୍ତ ମିତ ବୋଲି ତୁ ଅର୍ଜିଛୁ ଯେତେ
ବିୟୋଗେ ତୋର କିଏ ଯିବେ ସଙ୍ଗତେ
ଶାନ୍ତି ନିଦ୍ରାରେ ଯିବୁ ସ୍ମଶାନେ ଶୋଇ
ଶାନ୍ତି ଦୁତଟି ନେବେ ବୈକୁଣ୍ଠେ ବୋହି
ଶୁକ୍ତିରୁ ମୁକ୍ତା ପ୍ରାୟ ଝଟକେ ଜୀବ
ଶ୍ରୀକୃଷ୍ଣ ନାମ ଯେବେ ତୁଣ୍ଡରେ ଥିବ
ସତ୍ୟ ଧର୍ମେରେ ହୁଅ ଅନୁପ୍ରାଣିତ
ସଂସାର ସାର ସତ୍ୟ, ସବୁ ଅନିତ୍ୟ
ସଂସାର ଦୁଃଖପୂର୍ଣ୍ଣ ଜଣା ସଭିଙ୍କୁ
ସାନ୍ତନୁ କହେ ଚିନ୍ତ ଚିନ୍ତାମଣିଙ୍କୁ
ଷଡ଼ରିପୁ ଖାଇବେ ଗିର୍ଧିନି ହୋଇ
ଷଟ୍ ପ୍ରଜ୍ଞ ହୁଅ ତୁ ଓଁଙ୍କାରେ ଧ୍ୟାୟୀ
ଷଡ଼ଦର୍ଶୀ ହୋଇଣ ଜ୍ଞାନକୁ ବାଣ୍ଟ
ଷଡାନନଙ୍କ ପିତା ହରିବେ କଷ୍ଟ
ହୀନବୁଦ୍ଧି ନ' କରି ହରି ସୁମର
ହରି ହାଟରେ ମନ ବାଣିଜ୍ୟ କର
ହରି ନାଁ ପୁଣ୍ୟଫଳ ଗଣ୍ଠିଲି କରି
ହାଟୁ'ଫେରିବା ଜୀବନ ସୌଦା ସାରି
କ୍ଷିତିରେ ରହିଣ ଖେଳା କଲୁ ଅପାର
କ୍ଷମାନିଧିଙ୍କୁ ସୁମର କରିବେ ପାର
କ୍ଷୟ ହୁଅଇ ଟି ତନୁ କମେ ଆୟୁଷ
କ୍ଷମାସାଗର ନାମକୁ ତୁଣ୍ଡରେ ଘୋଷ
