STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବାହୁନା

ବାହୁନା

2 mins
337

ଆଉ ନାହିଁ ଆଗ ଭଳି ଝିଅ ବିଦା ବେଳର

ବୁକୁଫଟା ଆକୁଳ ଭୂଇଁ ଲୋଟା କାନ୍ଦଣା

ହଜିଗଲାଣି ଓଡ଼ିଆଣୀର ଛନ୍ଦଭରା ରାଗିଣୀ

ସୁର ତାଳ ଲୟର ସୁଲଳିତ ବାହୁନା

ବୋହିବା ତ ଲୁହ ଦୂର ଫୁଟେ ନାହିଁ କୋହ

ସମସ୍ତଙ୍କୁ ପରକରି ଯେବେ ଶାଶୁଘର ଚାଲିଯାଏ ଝିଅ।

ଏବେ ତ ସବୁକିଛି ପୂର୍ବନିର୍ଦ୍ଧାରିତ

ପ୍ରେମ ପ୍ରଣୟ ପୁଣି ପରିଣୟ ଅବଧାରିତ

କେବଳ ଔପଚାରିକତା ବାହ୍ୟ ଆଡମ୍ବର

ପୁରୁଣା କାହାଣୀର ମାତ୍ର ନାଟ୍ୟ ରୂପାନ୍ତର

ସାମାଜିକ ସ୍ବୀକୃତି ପ୍ରାପ୍ତ ହେତୁ ତୁଛା ଅର୍ଥଶ୍ରାଦ୍ଧ

ପ୍ରତିପତ୍ତି ପ୍ରତିଷ୍ଠା ପରାକାଷ୍ଠା ଆଭିଜାତ୍ୟ

ସମ୍ଭ୍ରାନ୍ତପଣର ନଗ୍ନ ପ୍ରଦର୍ଶନ।

ଝିଅ ବାହା ହୋଇ ପରଗୋତ୍ରୀ ହେବା

ପରେ ବି ବାପଘରେ ସର୍ବେସର୍ବା

ଶାଶୁଘରେ ସାଇବେରୀୟ ଅତିଥି ବିହଙ୍ଗ

ବଦଳିବାର ସମ୍ଭାବନା ନାହିଁ କିଛି ରଙ୍ଗ ଢଙ୍ଗ

କାହିଁକି ବା ସିଏ ଝୁରିବ ବାଡୁଅପଣକୁ

କାନ୍ଦି କାନ୍ଦି କାହିଁକି ସିଏ କରିବ ନଷ୍ଟ

ଦାମୀ ସାଜସଜ୍ଜା ଗହଣାଗାଣ୍ଠି ଗାଢା ପ୍ରସାଧନକୁ?

ଝିଅର ମାଆ ତ କାନ୍ଦଣା ବାହୁନା

ଗଲାଣି ଭୁଲି ତା' ବାହାବେଦୀରୁ

କାଲି ପରି ଅଖାଧୁଆ ନଥିଲେ ବି

ଜ୍ବାଇଁର ଗୁଣଗ୍ରାମ ଗାଇବାରେ ବାଟୁଳି

ବାଜୁନି କି ଥକି ଯାଉନି ତୁଣ୍ଡ ବାଇଦ

ହସଖୁସିର ପରିବେଶରେ କାନ୍ଦକଟା

କାଳେ ପୁରୁଣା ମରହଟ୍ଟିଆ ସୁଆଙ୍ଗ ଫ୍ଯାସନ୍

ଏଇ ତ ଉଗ୍ରାଧୁନିକ ପାଶ୍ଚାତ୍ୟ ଅଭିରୁଚି ସମ୍ପର୍ଣ୍ଣା

ବବକଟ୍ ଲିପଷ୍ଟିକ୍ ବାର୍ଣ୍ଣିସ୍ ରଙ୍ଗ ମଖା ଝିଅର ମାତା

କି କାନ୍ଦିବ ଘୁରି ଗଲାଣି କି ତୁମ୍ଭ ମଥା?

କନ୍ଯାପିତା ଆଉ ମଝିଦରିଆରେ

ଧନରତ୍ନଭରା ଡୁବିଯାଇଥିବା ବୋଇତର

ମାଲିକ ସାଧବ ବୁଢ଼ା ପରି

କାନ୍ଦୁନାହିଁ ଛାତିପିଟି ମଥାକୋଡି

ବରଂ ବିଦେଶୀ ଚାକିରିଆ ଏନଆରଆଇ ଜ୍ବାଇଁ

ପାଇବାର ଅହମିକାରେ ଗଡଜିତିବାର ଉଦ୍ଧାମତାରେ

ବିଦେଶୀ ମଦିରା ଆକଣ୍ଠ ପାନ କରି

ନାଚି ନାଚି କନ୍ଯାରତ୍ନର ସୌଭାଗ୍ୟ ବଖାଣି

ଅଦିନିଆ ମହାନଦୀ ପରି ଫୁଲି ଉଠୁଛି

ନାଲି ନେଳି ପାଣିର ଉଜାଣି ବହୁଛି

କାନ୍ଦଣା ବା ଆଉ କିଏ କାନ୍ଦୁଛି?

ଯେବେ ଘରୁଆ ଆଖିରେ ନାହିଁ

କନ୍ଯା ବିଦାୟକାଳୀନ ଦୁଃଖରେ ଟୋପାଏ ଲୁହ

ବନ୍ଧୁବାନ୍ଧବ ବାହାର ଲୋକ ଅବା ସାହି ପଡିଶା

କିଆଁ ତୁଚ୍ଛାରେ କାନ୍ଦିବେ କୁହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract