ଅତୀତ
ଅତୀତ
ଅତୀତରେ ଯାହା ଘଟି ଯାଇଅଛି
ତାକୁ ଏବେ ଛାଡି ଦିଅ
ସେ କଥାକୁ ଘାଣ୍ଟି କିଛି ଲାଭ ନାହିଁ
ଆଗକୁ ପାଦ ବଢାଅ ।
ଜୀବନର ଚଲା ରାସ୍ତା କେବେହେଲେ
ଏତିକିରେ ସରେ ନାହିଁ
ଏମିତି ଅନେକ ଝଡଝଞ୍ଜା ଆସେ
ପଡିବ ତ ତାକୁ ସହି ।
ଅତୀତରେ ଦୁଃଖ ଆସିଥାଏ ଯେବେ
ଭବିଷ୍ୟତେ ସୁଖ ଥାଏ
ବର୍ତ୍ତମାନଟାରେ ଦହଗଞ୍ଜ ହେଇ
ଧୈର୍ଯ୍ୟକୁ ଶିଖାଇ ଦିଏ ।
ଅତୀତଟା ଯାର ନିନ୍ଦା କଳଙ୍କରେ
ହେଇଥାଏ କଣ୍ଟକିତ
ବିଶ୍ୱାସରେ ବିଷ ଭରି ଦେଇ ଯିଏ
କରିଥାଏ ସର୍ବସ୍ବାନ୍ତ ।
ସେଇଟା ମନରୁ ଭୁଲି ତ ହୁଏନା
ଆଖିରେ ସେ ଖାଲି ନାଚେ
ମିଛ ଅପବାଦେ ଲହୁ ଲୁହ ହେଇ
ଦିନ ପରେ ଦିନ ବଞ୍ଚେ ।
ତଥାପି ତାହାକୁ ହୃଦୟରେ ଚାପି
ଆଗକୁ ଯିବାକୁ ହେବ
ଏଇତ ଜୀବନେ ଏମିତି ଅନେକ
କଣ୍ଟା ଫୁଲ ରହିଥିବ ।
ଅତୀତରେ ଯାର ପୁଣ୍ୟ ଫଳ ଥିବ
ଭବିଷ୍ୟତ ସୁଖମୟ&n
bsp;
ଅତୀତରେ ପରୋପକାର କଲେ
ସର୍ବଦା ତାହାର ଜୟ ।
ଅତୀତର ଯିଏ ସାହା ହେଇଥାଏ
ବିପଦର ସାଥୀ ଥାଏ
ଦୁର୍ଦ୍ଦିନ ସମୟେ ସାହାଯ୍ୟ କରଇ
ମନରୁ ନା ଭୁଲି ହୁଏ ।
ଅତୀତର ନିଜ ଜୀବନ କାହାଣୀ
ତାକୁ ଭୁଲି ହୁଏ ନାହିଁ
ପ୍ରତିସ୍ତରେ ମନେ ପକାଇଣ ଦିଏ
ଅହଂଭାବକୁ ଦୂରେଇ ।
ଅତୀତରେ ଆମ ସାଧବ ପୋଏ ତ
ବୋଇତରେ ଯାଉଥିଲେ
ଦୂର ଦେଶାନ୍ତର ବାଣିଜ୍ୟ ବେପାରେ
ଧନ ବୋହି ଆଣୁଥିଲେ ।
ଇତିହାସ ପୁରାଣ ମନେ ପକେଇଲେ
ଅତୀତଟା ଭାସି ଆସେ
କେତେ ଯେ ଯନ୍ତ୍ରଣା ଦୁର୍ଦ୍ଦଶା ଭରା ସେ
ଫର୍ଦ୍ ଫର୍ଦ କରି ଦିଶେ ।
ଅତୀତର କିଛି ଦୁର୍ଘଟଣା ପାଇଁ
ଦେବାକୁ ପଡଇ ମୂଲ୍ୟ
ତଥାପି ଜୀବନେ ନା ଖୁସି ପାଏ
ହୁଏ ଖାଲି କଲବଲ ।
ଅତୀତକୁ ନେଇ ଭାରାକ୍ରାନ୍ତ କେହି
ଜମାରୁବି ହୁଅ ନାହିଁ
ବର୍ତ୍ତମାନଟାକୁ ଭଲକି ପରଖ
ଭବିଷ୍ୟତ ଉଜ୍ଜଳ ହେଇ ।।