ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ
ସେ ପରୀଟିଏ
ଫୁଟି ଆସୁଥିବା କଢ଼ିଟିଏ
ଜୀବନର ଝାଞ୍ଜି ବଇଶାଖ ତୀରେ
ସେ ସୁବାସିତ ସୁନାଝରିଟିଏ।।
ସଭିଙ୍କ ହୃଦୟ ଜିଣି ହସୁଥାଏ
ଅନ୍ତର ପଛକେ ଲୁଚି କାନ୍ଦୁଥାଏ
ସେ ପରୀ ବିନା ପରା ଅଚଳ ସଂସାର
ତଥାପି ସମାଜ କରେ ହତାଦର।
କାମନା ଅନଳେ ଜାଳି ଯାଉଥିବା
ସେ ଚିର ଅଭାଗିନୀ ନାରୀଟିଏ।।
ସେ ସିନା ତ୍ୟାଗର ଜୀବନ୍ତ ମୁରତି
ପାଲଟେ ଭୋଗର ପାଷାଣ କିରତୀ
ଅବଳା ବୋଲି ସେ ସହେ ଅତ୍ୟାଚାର
ନିଃଶ୍ୱାସରେ ତାର ଶୁଭେ ହାହାକାର
ବସୁଧା ସାଜି ସେ ପଦାଘାତ ସହେ
ସେ ସଂସାର ମରୁରେ ପ୍ରୀତିର ପୀୟୂଷଟିଏ।।
ସେ କରେ ଘରକୁ ଆଲୋକିତ
ଧରାଧାମେ ସେ ଯେ ପାରିଜାତ
ଘରେ ସେ ଅଲିଭା ସଞ୍ଜବତୀ
ବହୁରୂପେ ମୋହେ ଏ ଜଗତୀ
ତଥାପି ସେ ଆଜି ନୁହେଁ ସୁରକ୍ଷିତ
ଯା ପାଇଁ ସଂସାର ମୃତଦାରଟିଏ।।
