ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି
ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି
ସହରଟା ଆଜି ଧକେଇ କାନ୍ଦୁଛି
ଅସତ୍ୟର ମାଳ ପିନ୍ଧି
ସତ୍ୟର ରୂପଟି ତା' ଦେହେ ହଜିଛି
ସତେ କି ରହିଛି ବନ୍ଦୀ ।
ଅସତ୍ୟର ବିଷ ନ ଭରଇ ତୋଷ
ଗଳା ସାଜେ ନୀଳକଣ୍ଠ
ବିଶ୍ବାସ ଭରସା ହରାଏ ତା' ଆଶା
ଦେଖି ହଟିଆଙ୍କ ହଟ ।
ଛଳନା ଜାଲଟା ମନ ପୋଖରୀରେ
ଏମିତି ହୁଅଇ ଛନ୍ଦି
ଶତ ଚେଷ୍ଟା କରି ବାହାରି ନପାରେ
ଯେତେ ବି କରିଲେ ଫନ୍ଦି ।
ସହରରେ ଆଜି ସବୁ ସ୍ବାର୍ଥପର
ସତ୍ୟକୁ ଖୋଜୁଛି କିଏ
ଅସତ୍ୟରେ ଯେଣୁ ଘର ପୂରୁଅଛି
ମୁହଁ ମାଡ଼ି ପଡ଼ି ରହେ ।
ଈର୍ଷା ଅସୂୟା ଗ୍ରାସକରି ମନ
ବିଲୋପ ବିବେକପଣ
ଭଲ ଲୋକଟିଏ ଯନ୍ତ୍ରଣା କଷ୍ଟରେ
କାଟିଥାଏ ରାତିଦିନ ।
ସତ୍ୟ କେବେ ଲୁଚି ରହେ ନାହିଁ ବୋଲି
ଅଛି ଯେଉଁ ଲୋକକଥା
ନେଡି ଗୁଡ଼ କହୁଣୀକୁ ଗଲାପରେ
ହୁଅଇ ଅନେକ ବ୍ୟଥା ।
ସତ୍ୟର ବନ୍ଧନ ଖୋଲିଦେବା କାମ
ଜନତା ପାଖେ କେବଳ
ସେଥିପାଇଁ ଧୈର୍ଯ୍ୟ ଶକତି ସାମର୍ଥ୍ୟ
ଆଇନ ବଳରେ ଠୁଳ ।
ହେଲେ ଆଇନ ବି କରେ ଲୋକହସା
ଅନ୍ଧତ୍ବରେ ସତ୍ୟ ବାନ୍ଧି
କାହାକୁ କହିବା ଆମେ ପରା ଦାୟୀ
ସ୍ବାର୍ଥରେ ମସ୍ତିଷ୍କ ବନ୍ଦୀ ।
