ଅସ୍ତମିତ ପୁଞ୍ଜିବାଦ, ଆସନ୍ନ ମରଣ
ଅସ୍ତମିତ ପୁଞ୍ଜିବାଦ, ଆସନ୍ନ ମରଣ
ମଣିଷ ମନରେ ଥାଏ ଦୁଇଟି ଉଦ୍ଦେଶ୍ୟ,
ସୁଖ ଲାଭ ଓ ଦୁଃଖ ଦୂର
ଜୀବନ ସମୟ ପୂରି ପୂରି ଆସେ, ଚକ୍ଷୁ
ଦର୍ପଣେ ଦେଖୁଛି ରୂପ, ଏ ସଂସାରର |୧|
ପଢିଛି ଦର୍ଶନ ଶାସ୍ତ୍ରରେ, ଦୁଃଖର ବିନାଶ,
ବିନାଶ ହେଲେ କାମନାର
ସୁଖ ମିଳିଥାଏ କାର୍ଯ୍ୟେ, କରିଲେ ନିଷ୍କାମନା
ହୃଦୟ ମଧ୍ୟରେ ବିଚାର |୨|
ମଣିଷର ମନ ଆକାଶ ବାନ୍ଧିବାକୁ ଶିକୁଳି
ପ୍ରସ୍ତୁତ ହୋଇ ପାରି ନାହିଁ
କ୍ଷିପ୍ର ଗତିରେ ତାହା ସଦା ଦୌଡ଼ି ତ ଥାଏ,
ବେଗ ତ ମାପି ହୁଏ ନାହିଁ |୩|
ମନର ଅଭିଭାବକ ତ ବିବେକ, ମାନିଲେ
ମଣିଷ ଧରମ କରମେ ଥାଏ
ବିବେକକୁ ନପଚାରିଲେ ଦର୍ପିତ ଠାଣିରେ
ସେ ଅଧର୍ମ ସଦା କରି ଥାଏ |୪|
ସ୍ୱାର୍ଥାନ୍ୱେଷି ମଣିଷର ମନର ବେଗରେ
ବଢିଲା ଶୋଷଣ ଅତ୍ୟାଚାର
ଲୁଚିଗଲା ବହୁ ମଣିଷର ନିଡ, ସମାଜେ
ସୃଷ୍ଟି ହେଲା ଧ୍ୱଂସ ଓ ପ୍ରଳୟର |୫|
ମାଟିରୁ ହାଣ୍ଡି ମାଠିଆର ରୂପ ପାଉଛେ
କୁମ୍ଭାର ଭାଈର ପରଶ ପାଇ
ଜ୍ଞାନ ବିବେକର ଦୀପ ଦ୍ୱାରା ପାଇଲେ
ଆମେ ତ ଗଣତନ୍ତ୍ରର ଛାଇ |୬|
ବର୍ତ୍ତମାନ ଗଣତନ୍ତ୍ରର ମୂଲ୍ୟକୁ ବୁଝେନି,
ପୁଞ୍ଜିବାଦର ପଚା ଗନ୍ଧର ତଳେ
ଦେଖେ ନେଡି ଗୁଡ କହୁଣୀକୁ ବୁହେ, ଅସହ୍ୟ
ବେଦନା ଭରିଛି ମଣିଷ ଅନ୍ତର ତଳେ |୭|
ମୁଁ ସାଧକ, ମୁଁ ଲେଖକ, ମୁଁ ପୁଣି ସୈତାନ,
ମୁଁ ର ସୃଷ୍ଟିରେ ପୁଞ୍ଜିବାଦ ଆସିଛି
ମୁଁ ଶବଦରେ ଶ୍ରମିକ କୃଷକର ଶ୍ରମକୁ
ପୁଞ୍ଜିିପତି ସଦା ଶୋଷଣ କରୁଛି |୮|
ଯୁଦ୍ଧ ପରେ ବେଲାଳସେନ ପଚାରିଲା
ହେ ନିର୍ବୋଧ ଅବୋଧ ଯେତେ
ସବୁ ଜାଣିଛି ତ ମୁଁ, ପାରିବା ପଣିଆର
ବାହାସ୍ପୋଟ କାହିଁକି ମାରୁଛ ଏତେ |୯|
ମୁଁ ମାନେ ଯେତେ, ଶୋଷଣ ତ କରୁଛ
ବନ୍ଧକ ପକେଇ ମା ମାଟିକୁ
ପୋଲିସ୍ ଦ୍ୱାରା ପୁଞ୍ଜିପତିର ହୁଅ ରକ୍ଷା
କର୍ତ୍ତା, ଛି ତୁମ ପାରିବା ପଣିଆକୁ |୧୦|
ହୋଇ ପାରିବ ହେ ଶାସକ ରକ୍ଷାକର୍ତ୍ତା,
ଅତ୍ୟାଚାର ହୁଏ ନାରୀ ଉପରେ
ହୋଇ ପାରିବ ହେ ଶାସକ ରକ୍ଷାକର୍ତ୍ତା,
ଅତ୍ୟାଚାର ହୁଏ ଶ୍ରମିକ ଉପରେ |୧୧
ହେ ଶାସକ, ପୁଞ୍ଜିପତିର ରକ୍ଷାକର୍ତ୍ତା
ହୋଇ କିମ୍ପାଇଁ ଦେଖାଉ ଦାମ୍ଭିକତା
ପୁଞ୍ଜି ଅହଙ୍କାରେ ଛାତି ଫୁଲାଉ ରକତ
ଶୋଷିବା ଜୀବନର କି ସାର୍ଥକତା |୧୨|
ହେ, ପୁଞ୍ଜିବାଦର ଶାସକ, ଅସ୍ତମିତ ଗାଦି
କୁ ରକ୍ଷା କରିବ କେତେ ଦିନ
ପୃଥିବୀରୁ ଛାଡିଯିବା ପାଇଁ ଵେଳ ଉପଗତ,
ଅପେକ୍ଷାରତ କେବଳ ଆସନ୍ନ ମରଣ |୧୩|
ସମୟର ଚକ ଘୁରେ ଚିରନ୍ତନ କ୍ଷମତା ପଦବୀ
କ୍ଷଣସ୍ଥାୟୀ, ସତ୍ୟ ଶ୍ମଶାନ ଦୁଆର ଜାଣ
ମାଟି ମାଆ ସୁରକ୍ଷା ଦୀକ୍ଷା ନେଇ ନିଃସ୍ୱର ସଖା
କ୍ରାନ୍ତିକାରୀ ନିଶ୍ଚୟ ଜନମିବେ ଶୁଣ | ୧୪|