ଅସ୍ଥିର ଭାବନା
ଅସ୍ଥିର ଭାବନା
ତୁମ ଗାଁ ପବନ ଯେବେ ବହିଆସି
ଅବେଳରେ ଘସିହୁଏ ମୋ କବରି ତଳ
ମୁଁ ତ ରୋକି ପାରେନାହିଁ
ଦେହର ମୃଦୁ ଶିହରଣ କୁ, ହୃତ୍ ସ୍ପନ୍ଦନକୁ,
ମନର କୁହରଣକୁ ମଧୁର ମୂର୍ଚ୍ଛନାକୁ
ମାଇଲ ମାଇଲ ବାଟ ଧୂଆଁ ଦିଶେ
ଗୋଠଫେରା ଗୋଧୂଳି ଲଗନେ
ହମ୍ବା ରଡ଼ି ଶୁଭେ ଗୁହାଳରେ ବନ୍ଧା
ବାଛୁରୀର ଏକାନ୍ତ ବିଜନେ ।।
ସଞ୍ଜର ଆଳତୀ ବେଳେ ଘଣ୍ଟ ଶବଦରେ
ଯେବେ ଦୀପ ଦାଉଦାଉ ଜଳେ
ମୋ ମନର ଅଶୁମାରି ଆଶା ଫୁଟି ଉଠେ
ତୋ କଥା ଭାବିଲେ
ମୋ ଅତୀତ ମନେପଡ଼େ
ଏକା ଏକା ଥିଲେ
ସେଇଗାଁ ସେଇରାତି ଆକାଶରେ
ଅମାନିଆ ଜହ୍ନ ଯେବେ ଉଠିଥାଏ ମାତି
ଲୋଟି ସାଇତା ସମ୍ଭାର ରାତିରେ ମହକି
ଚଉଦିଗ ବାସି ସକାଳରେ ହୋଇଯାଏ ବାସି ।
ସହ୍ୟ କରିବି ବା କେତେ ଅଦୃଶ୍ୟ ବେଦନା
ଯିବା ପାଇଁ ଆକଟ ଆସିବା ପାଇଁ ବାଟବଣା
ନିତାନ୍ତ ଜରୁରୀ ଜାଣିବା ପାଇଁ ତମ ମନର କାମନା
ଭଲପାଏ ତୁମକୁ ମୁଁ ସେଥିପାଇଁ ଯାଏ ସହି ଆଜି
ଅବ୍ୟକ୍ତ ଓଠର ତୁମ କେତେଯେ ଅକୁହା ରୋଷଣି
ଆଉ ଭଲପାଏ ବୋଲି ଚୁପଚାପ ଭାବି ବସେ
ସେ ଦିନର ନିରୋଳା ପ୍ରେମକୁ
ଖୁବ ମନେପଡ଼େ ଅତୀତ କାହାଣୀ ।।
ଭଲପାଏ ବୋଲିତ ଚାହୁଁନାହିଁ ଦୂରେ ଯିବାପାଇଁ
ଚାହେଁନି ମର୍ମ ବେଦନା ବଢ଼ାଇବା ପାଇଁ
ଚାହେଁ କେବଳ ଏତିକି କହିଦିଏ ଥରେ ତମେ
କେହି ନଶୁଣିଲେବି, ପ୍ରମାଣ ନରହିଲେବି
କହିଦିଏ ଥରେ......
କେହିଯଦି ଜାଣିଗଲା
ତମର ମୋର ଫଟା ସମ୍ପର୍କକୁ
ଦୁନିଆକୁ ଭୁଆ ବୁଲେଇବା ପାଇଁ
ଅଭିନୟେ କହିଦିଏ ଥରେ
ତମେ ମୋତେ ଭଲପାଏ ବୋଲି ।।
ମୋ ମନର ଅଲୋଡ଼ା ପକ୍ଷୀଟି
ଲୋଟିଯିବ ତୋ ସ୍ନିଗ୍ଧ ଛାତିରେ
ଆପଣା ଲୋକର ସ୍ପର୍ଶ ଅନୁଭବ କରି
ବିଥିର ପଥରେ
ନିମ୍ବକଢ଼ି ଫୁଟିଯିବେ ଚୋରା ବସନ୍ତରେ
ଆମ ଗାଁ କପୋତ ଉଡ଼ିବୁଲି ମୁକ୍ତ ଗଗନରେ
ଆମ ପ୍ରେମର ଫଲଗୁ ଝିଣ୍ଟିବେ
ପ୍ରତ୍ୟେକ କୁଆଁରୀ ଲାଜରେ
ତା ସଜ-ବାଜରେ ।।

