STORYMIRROR

Pranati Mahapatra

Abstract

3  

Pranati Mahapatra

Abstract

ଅସ୍ତାଚଳ ରବି

ଅସ୍ତାଚଳ ରବି

1 min
14


ଧମନୀରେ ବହୁଥିବା ଟକମକ ଗରମ ରକ୍ତ

ଧରାକୁ ସରା ଜ୍ଞାନ କରୁଥିବା ଚୁଲବୁଲି ମନ

ପବନରେ ସାଇଁ ସାଇଁ ଉଡୁଥିବା ଗୋଡ଼ହାତ

ରାତି ରାତି ଅନିଦ୍ରା ରହି ବହି ଦେଖୁଥିବା ନୟନ

ଆଜି ନୀରବ ନିସ୍ତେଜ ଆଉ ହାଲିଆ ।


କାନକୁ କ୍ଷୀଣ ଶୁଭୁଛି ତ ଆଖିକୁ ସ୍ଵଳ୍ପ

ହାତ ପାଦେ ବଳ ନାହିଁ ପୁଣି ହୁଏ ଅଜୀର୍ଣ୍ଣ

ପାଟିରେ ନାହିଁ ଆଉ ଉଚ୍ଚ ତୀକ୍ଷ୍ଣ ବଚନ

ଅହରହ ଖୋଜେ ସ୍ଵାଦିଷ୍ଟ ଭୋଜନ।


ଗାଆଁ ଦାଣ୍ଡେ ଯାଇ ବରଷାରେ ଭିଜି

କାଗଜ ଡ଼ଙ୍ଗା ଭସାଇ ମୁଁ ପାରୁନି

ଗଡିଆରେ ଚିତ୍ ପହଁରା ଦେଇ କି

କଇଁ ପଦ୍ମଫୁଲ ତୋଳି ଆଣୁନି।


ସର୍ବଗୁଣେ ପରିପୂର୍ଣ୍ଣ ଥିଲି ସିନା

ଏବେ ସବୁ ଭୁଲି ଯାଉଛି

ପୁଅପୁତୁରା କି ଝିଅ ଝିଆରୀଙ୍କ 

 ନାଆଁ ଭାବି ଭାବି ଡାକୁଛି।

ରାମକୁ ଶ୍ୟାମ ହରିଆକୁ ଯଦୁ

ରାମୁଲୁକୁ ରାଧୁଆ ଭାବୁଛି।


ନିଦ ପାଇଁ ବେଳ କମି ପଡୁଥିଲା

ଦିନ ଦଶଟାରେ ଉଠୁଥିଲି

ଘୁଙ୍ଗୁଡ଼ି ମାରି ମୋ ରାତି ପାହୁଥିଲା 

ଏବେ ନିତି ଔଷଧ ଗିଳିଲି।

ମଥାକେଶ ସେବେ ଧଳା ହଳଦିଆ

ଭଲ ଲାଗୁଥିଲା କରୁଥିଲି,

ଏ ବୟସେ ମାସେ ପନ୍ଦର ଦିନରେ

କଳା କଳା ରଙ୍ଗ ବୋଳିଲି।


ଟାଇପକରା ମୋ ଅକ୍ଷର ଗୁଡାକ

ଆଙ୍ଗୁଳି ମୋ ଜମା ଲେଖୁନି,

ବ୍ୟାଙ୍କ ପୋଷ୍ଟ ଅଫିସର ତାକୁ

ଜାଲି ଦସ୍ତଖତ କହିଲେଣି।

ଦୌଡ କୁଦରେ ପ୍ରଥମ ପାଦ ମୋ

ଚାଲିବାକୁ ବୋଲ ମାନୁନି।

ଆଣ୍ଠୁ ଗଣ୍ଠି ଗୁଡା ଯେତେ ଆଉଁସିଲେ

ଦରଜ ତ ଜମା ଛାଡୁନି।


କଅଁଳ ବୟସ ଅଙ୍ଗଗୁଡା ଏବେ

 ଶିଥିଳ ତ ହୋଇ ଗଲାଣି

ମନ ଥଣ୍ଡା ପୁଣି ରକତ ମୋ ଥଣ୍ଡା

କ୍ରୋଧହିଂସା ଚାଲି ଗଲାଣି।

ମନକଥା ମନେ ମନେ ରଖି ମୁହିଁ

ସୁଖ ଖୁସି ଭୁଲି ଗଲିଣି।


କାହିଁକି ନା ମୋତେ ତ ବାର୍ଦ୍ଧକ୍ୟ ଗ୍ରାସ କଲାଣି।

ବୋଧହୁଏ ଅସ୍ତାଚଳ ରବି ସହ ସମକକ୍ଷ ହେଲିଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract