ଅଷ୍ଟମ ଋତୁ
ଅଷ୍ଟମ ଋତୁ
ଆଷାଢ ଅବନତ ଆକାଶର ଚାହାଣିରେ
ମୌସୁମୀର ସ୍ପର୍ଶ
ଖାଲି ଛୁଇଁ ଯାଏ
ଅସରନ୍ତି ସ୍ବପ୍ନର ମଞ୍ଜିକୁ
ଖୋଳପା ଭିତରୁ
ଅଙ୍କୁରୋଦଗମ୍ ଖୋଜେ
ସୁସ୍ଥ ସୁରକ୍ଷିତ ସବୁଜ ଛାତିଟେ
ଅବାଞ୍ଛିତ ମୃତ୍ୟୁର ଏ ଅଷ୍ଟମ ଋତୁରେ।
ଆସ୍ଵସ୍ତି ଧୀରେ ଥାପୁଡ଼ାଇ ଦିଏ
ଜୀବନ ଜଗତ
ଅପୂର୍ବ ବିମୁଗ୍ଧତାର
ମହା ବିଭୁତି ବୋଳିଦିଏ
ଜିଇଁବାର ସଂଜୀବନୀ ଆଶିଷ ଢାଳି
ଏ ସମୟ ଚାଲିଯିବ ମହାମନ୍ତ୍ରେ
ଆଞ୍ଜୁଳା ଆଞ୍ଜୁଳା ଶୀତଳତା
ନେସି ହୋଇଯାଏ
ସୃଷ୍ଟି,ସମ୍ଭାବନା ଏଇ ଏଇ ଅନାଥ ହୋଇଥିବା
ଦେଢ଼ ମାସ ଶିଶୁ ଭିତରେ।
ଭାଵ ଓ ଆବେଗ ଲଟେଇ ହୋଇ ଓହଳି ପଡେ
ଚଳନ୍ତି ସମୟର ପରିବେଗ
ରହସ୍ୟମୟ ସ୍ଵୀକୃତି
ବିଶ୍ୱ ଅଙ୍କନର ସୃଜନ ସଂକଳ୍ପ
ଆନ୍ଦୋଳିତ ହୃଦୟର ଅୟୁତ ପ୍ରଶ୍ନ
ନୂଆ ଭୟଶୂନ୍ୟ ସକାଳକୁ ଅପେକ୍ଷା ରଖେ
ବିଶ୍ବାସ ଭରସା ଚିପୁଡା ଆଖି।।
ଚହଲି,ଦୋହଲି ଯାଏ
ଶୁଷ୍କ ମଲା ଜହ୍ନ
ଓଦା ଓଦା ସବୁଜିମା ରଙ୍ଗେ
ଆସକ୍ତିର ମହା ଲଗ୍ନରୁ
ମୁକ୍ତ ହେବା ପାଇଁ
ଅନ୍ତଃକରଣର ଅନାହତ ଉଚ୍ଚାରଣ
ଶିବତ୍ୱକୁ ଅଣ୍ଡାଳି ହୁଏ
ଉଦୟନର ଅଘୋରି ଅନ୍ୱେଷଣ
ଦେଖାନ୍ତି ଧାରେ ଆଲୁଅ।
ସଂକ୍ରମିତ ଶାପରୁ ପାଷାଣି ଅହଲ୍ୟା
ପାଏ ଜୀବନ୍ୟାସ
ଶ୍ରାବଣର ନିବିଡ଼ ଆଶ୍ଳେଷେ।