ଅସରାଏ ଆଶା
ଅସରାଏ ଆଶା
ଆ ! ....... ସେଇଠି,
ଦେଖି ପାରୁନୁ କିରେ, ବାୟା !
ନଦୀ ଆର ପାରିର
ସେଇ ଯେଉଁ ଦଳେ ତାଳ ଗଛ
ଖୁନ୍ଦାଖୁନ୍ଦି, ଭିଡ଼ାଭିଡ଼ି, ଲଗାଲଗି ହୋଇ
ମୁଣ୍ଡକୁ ଟେକି, ଛାତିକୁ ଫୁଲେଇ, ବୀର ସିପାହୀ ପରି
ଛିଡ଼ା ହୋଇଛି, ତାକୁ ଲକ୍ଷ୍ୟ କରି
ନଦୀ ଏ ପାରିର
ସଭ୍ୟତାକୁ ମାତ୍ ଦେଇ
ଆଧୁନିକତାକୁ ଆପଣେଇ
ସିମେଣ୍ଟ କଂକ୍ରିଟର ବଳିଷ୍ଠ ଶରୀରରୁ
ଆକାଶକୁ ମୁହଁ କରି
ଗଦ୍ ଗଦ୍ କଳା ଧୂଆଁର ଗୁଳି ବର୍ଷା
କରି ଚାଲୁଥିବା, ପ୍ରଦୀପ ବେହେରାର
ଯେଉଁ ଇଟା ଭାଟ୍ଟି ଅଛି,
ତା' ସିଧାକୁ ଦେଖ୍ !
ଟୁକୁନା ଅନେଇଲା,
ବୋଉର ନିର୍ଦ୍ଦେଶ ମୁତାବକ
ସେହି ଅଞ୍ଚଳକୁ, ଯେଉଁଠି
ଦୁଇଟି ସଭ୍ୟତା, ଦୁଇ କୂଳରେ
ଛିଡ଼ା ହୋଇଥିଲେ; ଦାମ୍ଭିକ ପଣରେ ।
କାହିଁ ? କିଛି ତ ନାହିଁ ! କେହି ତ ନାହିଁ ?
ନା ନୌକା ? ନା ବାଆ ?
ନିରୀହ ନୁଖୁରା ଫୁଙ୍ଗୁଳା ଚେହେରାରେ
ଉଦାସୀନତାର ଖଣ୍ଡିଆ ଭୂତ ଆଉ
ଆଖିରେ ପ୍ରତୀକ୍ଷା ଏବଂ ନୈରାଶ୍ୟତାର
ପ୍ରଶ୍ନ ଚିହ୍ନ
ବେଶ୍ ! ବାଇ ଚଢ଼େଇର ବସା
ବାନ୍ଧି ସାରିଥିଲା ।
କୁନି ଆଖି ଦ୍ୱୟ
ଲୁହ ଛଳଛଳ
ହୋଇ ଆସନ୍ତେ, ବୋଉ କହିଲା,
ହେଇ .... ଦେଖି !
ଦିଶି ଗଲା ପାଲ
ଶୁଖିଲା ପଟା ଦି' ଖଣ୍ଡରେ
କେତେ ଆଶା, ଆକାଂକ୍ଷା
ସୁବର୍ଣ୍ଣରେଖାର ଢେଉ ସହ ମାତି
ହେଉଥିଲେ ଢଳଢଳ ।।
ଟୁକୁନା ମୁହଁରେ ହସ
ମନରେ ପୁଲକ
ମୁଗୁନି ପଥର ମୂର୍ତ୍ତି ପରି
ବାଆ ତା'ର ସ୍ଥିର - ନିଶ୍ଚଳ
ହାତରେ ସୁକାନ ଧରି
ପଟା ଦି' ଖଣ୍ଡର
ଦିଗ ନିର୍ବାହକ, ମଙ୍ଗୁଆଳ ।।
