ଅଶୁଭ ମୁଖ
ଅଶୁଭ ମୁଖ
ପ୍ରଭାତରେ ଉଠି ବୁଲୁଛନ୍ତି ରାଜା
ରାଜ ଉଦ୍ୟାନେ ସେଦିନ
ଦେଖିଲେ ଲୋକଟେ ଉଦ୍ୟାନ ମଧ୍ୟରେ
କରୁଛି ବୃକ୍ଷ ରୋପଣ ।
ଦିନ ଦୁଇ ଘଡି ନାପିତ ରାଜାଙ୍କୁ
କରୁଛି ବସି ଖିଅର
କ୍ଷୁର ବାଜି ରକ୍ତ ମଣିମା ଦାଢିରୁ
ବୋହିଗଲା ଏକ ଧାର ।
ରାଗିଗଲେ ରାଜା ବାରିକ ଉପରେ
ଦେଖାଇଲେ ଉଗ୍ରମୂର୍ତ୍ତି
ଚତୁର ନାପିତ ନିଜ ବୁଦ୍ଧି ବଳେ
ରାଜା କ୍ରୋଧୁ ଗଲା ବର୍ତ୍ତି।
ହଠାତ୍ ବାରିକ କହିଲା ଦେଖିଲେ
କା' ମୁଖ ଆଜି ସକାଳ
ଯାହା ବି ହୋଇଲା ଏସବୁ ଅଶୁଭ
ମୁହଁ ଦର୍ଶନର ଫଳ ।
ନରେଶ ଆଦେଶେ ଖେଦିଗଲେ ସୈନ୍ୟ
ଧରାହେଲା ସେହି ଲୋକ
ବିଚାରରେ ଫାଶି ଦଣ୍ଡାଦେଶ ବୋଲି
ହୁକୁମ ନ୍ୟାୟାଧୀଶଙ୍କ ।
ଫାଶି ପୂର୍ବୁ ଯେବେ ପଚାରେ ସିପାହୀ
ତୁମ ଶେଷ ଇଚ୍ଛା କ'ଣ ?
ପ୍ରଶ୍ନଟେ କରନ୍ତି କହିଲା ଲୋକଟି
ଅନ୍ତିମ ଭାବନା ଜାଣ ।
ଅଭୟ ପ୍ରଦାନ କଲେ ମହାରାଜା
ପ୍ରଶ୍ନଟି ତୁମ ପଚାର
ନିଦରୁ ଉଠି ମୁଁ ଆସିଥିଲି କର୍ମେ
କହେ ଲୋକଟି ସଧୀର ।
ଆଜ୍ଞାଙ୍କ ଶ୍ରୀମୁଖ ପ୍ରଥମେ ଦେଖିଲି
ପାଉଅଛି ପରାଭବ
ମୋ ମୁଖ ଦର୍ଶନେ ଜୀବିତ ଆପଣ
ମୁଁ କିନ୍ତୁ ହୋଇବି ଶବ ।
ବୁଝିଗଲେ ରାଜା ଅନ୍ଧବିଶ୍ୱାସ ଏ
ମୁଖେ ନଥାଏ ଅଶୁଭ
କର୍ମ ହିଁ ଆମକୁ ଦେଇଥାଏ ଫଳ
ଅଶୁଭ ଅଥବା ଶୁଭ ।
