ଅସହାୟ ଜୀବନ
ଅସହାୟ ଜୀବନ
ଏପରି ସମୟ ଜୀବନରେ କେବେ
ଆସିବ ନଥିଲା ଜଣା,
ଏତେ ଅସହାୟ ଜୀବନ ଲାଗଇ
ହଜି ଯାଉଛି ଠିକଣା ।
କାହାର ଜୀବନ ଦୀପ ଲିଭିଯାଏ
ଅଦିନରେ ପଡ଼େ ଝଡ଼ି,
ଅମ୍ଳଜାନ ପାଇଁ ଭୂମିରେ ଲୋଟଇ
ପ୍ରାଣ ଯାଏ ପିଣ୍ଡ ଛାଡ଼ି ।
ବେସାହାରା ଏଠି କାହାର ଜୀବନ
ପ୍ରିୟ ପରିଜନ ନାହିଁ,
ମର ଶରୀରକୁ କାନ୍ଧ ଦେବାପାଇଁ
ଘୃଣା କରନ୍ତିରେ ଭାଇ ।
ଯାହା ସଂଗେ ଦିନେ ସାରା ଜୀବନଟା
ବିତାଇଲୁ ହସିହସି,
ମୃତ୍ୟୁ ପରେ ପାଖ ମାଡ଼େନାହିଁ ସେହି
ରୋଗ ଦେବବୋଲି ଗ୍ରାସୀ ।
ସାହି ଭାଇ ସବୁ ନାକ ଟେକୁଥାନ୍ତି
ଦୂର ଦୂର ମାର କରି,
କେତେ ଅସହାୟ ସତେ ଏ ମଣିଷ
ଶାନ୍ତିରେ ପାରେନା ମରି
ଦୁଇପାଦ ଭୂମି ମିଳେନାହିଁ କାରେ
ଶବଦାହ ପାଇଁ ସିନା,
ମଲା ଦେହଟାକୁ ସମ୍ମାନ ମିଳେନା
ମିଳଇ ଯମ ଯନ୍ତ୍ରଣା ।
ସମ୍ପର୍କଟା ଏଠି ମିଛ ପ୍ରହେଳିକା
ଜଳଜଳ ଦିଶେ କାୟା,
ଜୀବନ ଜଂଜାଳ ମରୀଚିକା ସମ
ଜଡ଼ ଜାର ମୋହମାୟା ।
ଅଳିଆ ଗାଡ଼ିରେ ବୁହା ହୁଏ ଶବ
ଅଛୁଆଁ ଅଲୋଡ଼ା ପରି,
ଆଖିଖୋଲି ଥରେ ଦେଖରେ ମଣିଷ
କେହି ନୁହଁନ୍ତି କାହାରି ।
