ଅସହାୟ ଜୀବନ
ଅସହାୟ ଜୀବନ
ସମୟ ବିତିଛି ,ସଂପର୍କ ହଜିଛି, ନାହିଁ ଆଉ ସେଇ ଦିନ
ଦୁର୍ବଳ, ଜର୍ଜର କାୟା ଆଜି ହୋଇଛି ଶ୍ରୀହୀନ
କଂପିତ ହସ୍ତ, ପାଦ , ଦୃଷ୍ଟି ବି ଆଜି ହୋଇଛି ମଳିନ ।
ଦିନ ଥିଲା ଚାଲୁଥିଲା ସାଥେ ସାଥେ ଧରି ଯେଉଁ ହାତ
ଥିଲା ମନେ ଦୃଢ ଆତ୍ମ ପ୍ରତ୍ଯୟ ,ନ ଥିଲା କିଂଚିତ ଭୟ ,
ଦେଖାଇଥିଲା ଯେଉଁ ହାତ ଠିକ୍ ଭୁଲ୍ ର ପଥ କରି ନିର୍ଦ୍ଧାରିତ
ଛାଡି ସେଇ ହାତ , ଯାଇଛି ଚାଲି ସିଏ , ସବୁ ସଂପର୍କ ଠୁଁ ଦୂର ବହୁଦୂର ।
ଥୁରୁ ଥୁରୁ ପାଦେ ଆଜି ନାହିଁ ବଳ ଚାଲିବାର
ଖୋଜୁଛି ଆଶ୍ରା ଟିଏ କଂପିତ ସେ ହସ୍ତ ଦ୍ବୟ ,
ନିଜ ଲହୁ ଲୁହରେ ଶକ୍ତ କରି ଗଢିଥିଲା ଯେ ହାତ
ସେ ହାତେ ଦେଇଛି ଧରାଇ ଆଶାବାଡ଼ି , ଯାହା ଆଜି ହୋଇଛି ସହାୟ ।
ସ୍ନେହ ଆଦରର ଜଳ ସିଂଚି ଗଢିଥିଲା ଯେ ଜୀବନ
ଯା ଆଖିରେ ଦେଖି ଥିଲା ଦିନେ ଏକ ସୁନ୍ଦର ସ୍ବପ୍ନ ,
ସେ ଆଖିର ଜ୍ଯୋତି ଆଜି ହୋଇଛି ମଳିନ
ନିଦ ତ ହଜିଛି, ହଜିଛି ସ୍ବପ୍ନ , ଆଖି ରେ ଭରିଛି ଖାଲି ଅନ୍ଧକାର ।
ଅଜଣା ରାଇଜ, ଅଦେଖା ମୁଲକ , ସନ୍ତାପିତ ଜୀବନ
ଏକାକୀତ୍ବ ର ଯନ୍ତ୍ରଣା ଆଉ ହାହାକାର ମୟ ଜୀବନ ,
ସବୁ ସ୍ବପ୍ନ , ସବୁ ଆଶା, ସବୁ ଇଚ୍ଛା ର ଆଜି ହୋଇଛି ମରଣ
' ବୃଦ୍ଧାଶ୍ରମ ' ର କୋଳାହଳ ମଧ୍ଯେ ଶୁଭେ ଖାଲି ମୃତ୍ଯୁ ର ଆହ୍ବାନ ।
