ଅରୁଆ ସାଙ୍ଗକୁ ଡାଲି
ଅରୁଆ ସାଙ୍ଗକୁ ଡାଲି
ପୁଅ-
ଅରୁଆ ସାଙ୍ଗକୁ ଡାଲି
ମୁଁ' ଓଦା କାଠ ତୁ' ମୋ ଚୂଲି
ବଉଳଲୋ,
ଫୁଙ୍କି ଫୁଙ୍କି ଖାଲି ମଲି
ବଉଳ ଲୋ
ଅଦିନିଆ ବର୍ଷା ପାଗ,
ଆଗଭଳି ଆଉ ଲାଗୁନି ବାଗ ବଉଳଲୋ,
ତୋର,ବଦଳି ଗଲାଣି ରଙ୍ଗ ବଉଳଲୋ ।
କଥାରେ ନଅଶହ ନଉ,
ଶୂନ ନେଇଗଲା ଡାମରା କାଉ
ବଉଳ ଲୋ,
ବେଲ,ପାଚିଲେ କି ଲାଭ ଆଉ !
ବଉଳ ଲୋ
ନିଆଁ,ଜଳୁଥିବ ଦାଉ ଦାଉ
ହାଣ୍ଡି କହୁଥିବ ସେତିକି ଥାଉ
ବଉଳ ଲୋ,
ଭାତ,କାଳେ ହୋଇଯିବ ଜାଉ
ବଉଳ ଲୋ
ଫଗୁଣ ମାସିଆ ଆମ୍ବ,
ବିନା ଟାକୁଆରେ କାମ ଚଳିବ
ବଉଳଲୋ,
ହାତ, ଖାଲି ଚାଟି ଖାଉଥିବ
ବଉଳ ଲୋ
ଗରମ ଗରମ ମୁଢ଼ି,
ଗଞ୍ଜା କୁକୁଡ଼ାଟା ଖୋଜୁଛି ଭାଡ଼ି,
ବଉଳ ଲୋ
ମନ, ଆକାଶରେ ଘଡ଼ଘଡ଼ି
ବଉଳ ଲୋ
ପିରତୀ ମଦିରା ନଈ,
ସପନ ସାଗରେ ଭାସୁଛି ମୁହିଁ
ବଉଳ ଲୋ,
ନିଦ,ଆଖିକି ମୋ ଆସୁନାହିଁ
ବଉଳ ଲୋ
ପ୍ରେମ ପରା ଅଠାକାଠି,
ସେ ଲାଗି ଜୀବନ ହେଲାଣି ମାଟି
ବଉଳ ଲୋ,
ଛାତି ଯାଉଛି ମୋ ଆଜି ଫାଟି
ବଉଳ ଲୋ
ପୁଣି,ପଖାଳ କଂସାରେ ମନ,
କଥାରେ କଥାରେ ଯାଉଛି ଦିନ,
ବଉଳ ଲୋ,
କେବେ ଆସିବ ପୁନେଇଁ ଜହ୍ନ
ବଉଳଲୋ
ଝିଅ -
ତୋର କଥାରେ ଦାମ୍ ନାହିଁ,
ମନ କରୁ ଫୁଲ ତୋଳିବା ପାଇଁ
ନାଗରରେ,
ଦେଖି,ହେଉଥାରେ ହାଇପାଇ
ନାଗରରେ ।
