ଅର୍ଥ ହିଁ ଅନର୍ଥ
ଅର୍ଥ ହିଁ ଅନର୍ଥ
ଡଲାର ପଛରେ ଦୁନିଆଁ ପାଗଳ
ଯୁବପିଢୀଙ୍କ ମୋହ
ଆପଣାର ଦେଶ ଜନମମାଟିକୁ
ଛାଡୁଛନ୍ତି ପୁଅ ଝିଅ ।
ଅର୍ଥ ରୋଜଗାର ସୁଖ ଓ ସ୍ୱ।ଚ୍ଛନ୍ଦ୍ୟ
ଭୋଗବାଦର ଭେଳିକି
କରିଦିଏ ଅନ୍ଧ ବିବେକ ବିହୀନ
ଜନ୍ମମାଟି ନିରିମାଖି ।
ଅନଳକୁ ଦେଖି ଯେସନ ପତଙ୍ଗ
ହରାଏ ତା ଭାରସାମ୍ୟ
ଅର୍ଥ ହିଁ ଅନର୍ଥ ବିନାଶ କାରଣ
କରୁଅଛି ମତିଭ୍ରମ ।
ଅତି ଆଧୁନିକ ଜୀବନର ଶୈଳୀ
ବାହ୍ୟ ରଙ୍ଗ ଚାକଚକ୍ୟ
ସୃଷ୍ଟି କରୁଅଛି ଯନ୍ତ୍ରର ମାନବ
ମନ ଅନ୍ତଃସାର ଶୂନ୍ୟ ।
ବାପ ମାଆ ବନ୍ଧୁ ପ୍ରିୟ ପରିଜନ
ହେଉଛନ୍ତି ଅଣହେଳା
ଝୁରି ମରିବାଟା ହେଉଅଛି ସାର
ଜନ୍ମ ଅକାରଣ ବୃଥା ।
ନିଜ ଜନ୍ମଭୂମି ଉନ୍ନତି ପ୍ରଗତି
ପଛରେ ଯାଉଛି ରହି
ପଚାରୁ ନାହାନ୍ତି ବାସି ପତରରେ
ବଡ଼ ଅନ୍ୟାୟ ହୁଅଇ ।
ଗ୍ରାମ ଓ ସହର ଲାଗେ ଖାଲି ଖାଲି
ଜନ ସମ୍ବଳ ବିହୀନ
କାନ୍ଦୁଛି ଗୁମୁରୀ ପ୍ରିୟ ଜନ୍ମମାଟି
ହୁଗୁଳା ରକ୍ତ ବନ୍ଧନ ।
ଆମ ମୂଲକରେ ସ୍ୱଦେଶ ମାଟିରେ
ନିଯୁକ୍ତି ସୁବିଧା ମିଳୁ
ନ ଛାଡ଼ନ୍ତୁ କେହି ନିଜ ଭିଟାମାଟି
ଶ୍ରମ ଦେଶ ପାଇଁ କରୁ ।
ବିରାଟ ବିଶ୍ୱରେ କୋଣ ଅନୁକୋଣେ
ହେଉ ବିକାଶ ସୁଷମ
ଜନ ସମ୍ପଦର ହେଉ ବିନିଯୋଗ
ଜୀବନ ହେଉ ସ୍ୱଚ୍ଛନ୍ଦ ।
ଅଳପ କେତେକ ପ୍ରସିଦ୍ଧ ସହରେ
ବେଶୀ ଲୋକ କଲେ ବାସ
ସୃଷ୍ଟି ହେବ ଚାପ ସନ୍ତୁଳନ ହ୍ରାସ
କାରଣ ମହା ବିନାଶ ।
-------
