STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅପୂର୍ବ ନୀଳା ପ୍ରଭୁଙ୍କ

ଅପୂର୍ବ ନୀଳା ପ୍ରଭୁଙ୍କ

1 min
300


ଜାରା ଶବରର ଶରରେ ପ୍ରାଣକୁ

ଛାଡି ଥିଲେ ପ୍ରଭୁ କୃଷ୍ଣ,

ଦ୍ବାରକାଧିପତି ଜଗତର ନାଥ

ସେହୁ ରାମ ସେହୁ କୃଷ୍ଣ।


ଭକ୍ତ ଅଭିଳାଷ ପୂରଣ କରିଲେ

ଦେଇ ଥିଲେ ସେ ବଚନ,

ସେହୁ ହିଁ ଅଙ୍ଗଦ ଜାରା ହିଁ ସବର  

ପୂର୍ଣ୍ଣ ହିଁ ହେଲା ବଚନ।


ହରଣୀ ଭାବିଣ ମାରି ଥିଲା ଶର

ଆନନ୍ଦ ହୋଇ ଅପାର

ପାଖକୁ ଯାଇଣ ଦେଖେ ରାମ ରୂପ

ଧିକ୍କାର କଲା ନିଜର।


କି କର୍ମ କରିଲି ଚିତ୍କାର କରିଲା

ପାଖକୁ ଡାକିଲେ କୃଷ୍ଣ,

ଦୋଷ ନାହିଁ ତୋର ଶ୍ରେଷ୍ଠ ଭକ୍ତ ତୁହି

ବୁଝାଇ ଦେଲେଟି କୃଷ୍ଣ।


ଆତ୍ମୀୟ ମୋହର ସେ ପାଣ୍ଡୁ କୁମାର

ସଖାକୁ ମୋହରି ଡାକ,

ପ୍ରାଣ ଚାଲି ଯିବ ସମୟ ହିଁ ନାହିଁ 

ଶୀଘ୍ର ହିଁ ତାହାଙ୍କୁ ଡାକ।


ପ୍ରାଣ ଚାଲି ଗଲା ପାଣ୍ଡବ ଆସିଲେ

ଦୁଃଖାକୁଳ ଅତି ମନ,

ଦାହା କରିବାକୁ ଚେଷ୍ଟା କଲେ ତହିଁ

କରି ନ ପରିଲେ ପୂର୍ଣ୍ଣ।


ଶୂନ୍ୟବାଣୀ ହେଲା ପାଣ୍ଡବଙ୍କୁ ତହିଁ

ଅଗ୍ନି ଦେବ ଶକ୍ତି ନାହିଁ,

କରି ନ ପାରିବ ଭସ୍ମ ଅଗ୍ନି ଦେବ

ନ ହୁଅ ଦୁଃଖିତ ତହିଁ।


ମହୋଦଧିରେ ହିଁ ବିସର୍ଜନ କର

କଲେ ହିଁ ପାଣ୍ଡବ ସେହୁ,

ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁ ରୂପେ ସେହୁ

ଆବିର୍ଭାବ ହେଲା ଯେହୁ।


ବାଙ୍କୀ ମୁହାଣର ସମୁଦ୍ର କୁଳରେ

ଦାରୁ ପରି ଭାସୁ ଥିଲା

ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ହିଁ ଭାବିଣ

ଅତି ହିଁ ଯତ୍ନେ ଆଣିଲା।


ଗୁଣ୍ଡିଚା ମନ୍ଦିରେ ରଖିଲା ତାହାକୁ

ପ୍ରଭୁ ନିରଞ୍ଜନ ସେହୁ, 

ସ୍ବୟଂ ମହାପ୍ରଭୁ ଧରି ବୃଦ୍ଧ ରୂପ

ରାଜାଙ୍କୁ କହିଲେ ସେହୁ।


ଗୁଣ୍ଡିଚା ମନ୍ଦିରେ ଯେଉଁ ଦାରୁ ଅଛି

ପ୍ରଭୁ ମୂର୍ତ୍ତି ହିଁ ଗଢିବି

ଏହି ପରି ହେବ ତାର ପ୍ରତିମୂର୍ତ୍ତି

ଅପୂର୍ବ ଭାବେ ଗଢିବି।


ଘର ଭିତରେ ହିଁ ନିର୍ମାଣ କରିବି

ଘର ବନ୍ଦ ଥିବ ତହିଁ,

କେହୁ ନ ଖୋଲିବେ କବାଟକୁ ତାର

ପୂର୍ଣ୍ଣ ନ ହୋଇଛି ଯହିଁ।


ପନ୍ଦର ଦିନରେ କବାଟ ଖୋଲିଲେ

ବୃଦ୍ଧ ହିଁ ନାହି ଟି ତହିଁ,

ଅଧାଗଢା ମୁର୍ତ୍ତି ରହିଛି ଏଠାରେ

ପ୍ରଭୁଙ୍କର ମାୟା ଯହିଁ।


ବଡ଼ଦେଉଳରେ ସ୍ଥାପିତ କରିଲେ

ଇନ୍ଦ୍ରଦ୍ୟୁମ୍ନ ରାଜା ନେଇ,

ପ୍ରତିଷ୍ଠା ସମୟେ ପ୍ରଭୁ ହିଁ କହିଲେ

ରାଜାଙ୍କୁ ନିଜେ ବୁଝାଇ।


ଜନ୍ମସ୍ଥାନ ଯିବୁ ରଥରେ ବସିଣ

ଭାଇ ଭଉଣୀ ଭି ଯିବେ,

ବର୍ଷକୁ ହିଁ ଥରେ ରଥଯାତ୍ରା ହେବ

ଭକ୍ତ ହିଁ ରଥ ଟାଣିବେ।


ନୋଅ ଦିନ ହେବ ଭକ୍ତଙ୍କ ପାର୍ବଣ

ମାଉସୀ ଘରକୁ ଯିବୁ,

ଆଜ୍ଞା ପାଇ ରାଜା ତାହା ହିଁ କରିଲେ

ପ୍ରଭୁ ଇଚ୍ଛା ଯାହା ସବୁ।


ଜାରା ଶବରର ଶରରେ ପ୍ରାଣକୁ

ଛାଡି ଥିଲେ ପ୍ରଭୁ କୃଷ୍ଣ

ଦ୍ବାରକାଧିପତି ଜଗତର ନାଥ

ସେହୁ ରାମ ସେହୁ କୃଷ୍ଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract