STORYMIRROR

Shiba Charan Mahapatra

Classics

4  

Shiba Charan Mahapatra

Classics

ଅଫେରା ପଥିକ

ଅଫେରା ପଥିକ

1 min
243


ସେ' କେବେ ଫେରିବାର ନାହିଁ କିନ୍ତୁ

ପେଜୁଆ ଦୁଇ ଆଖି ତାଙ୍କୁ ହିଁ ଝୁରେ 

ମୁହଁ ସଂଜରେ 

ଫେରିବାକୁ ସ୍ୱପ୍ନାଦେଶ ବୁଣେ 

ପଲକ ମଲାଟ ଛୁଇଁ ଦି' ଟୋପା ଆତ୍ମବିଶ୍ୱାସ ଅଶ୍ରୁ ଝାରେ

ମଳିଛିଆ ଜହ୍ନ ଦୀପଟିଏ ଜାଳେ..!!


ହୁଏତ ସେ ଜଣଂକ ଭିତରେ

ବିବର୍ତ୍ତନବାଦ ଋତୁଚକ୍ର ଦମ୍ଭ କାଲିକି ନଥିବ 

ନଥିବ ତା' ମଧୁସ୍ମିତ ଓଠରେ ଫଗୁଣର ମହୁଫେଣା..!

ସ୍ୱପ୍ନୀଳ ଆଖିରେ ତା'ର ଝଲସି ଉଠୁଥିବ ଗୋଟେ ପାନ୍ଥଶାଳା କାନ୍ଥର କରୁଣ ଯନ୍ତ୍ରଣା

ଅବା

ମିଳି ସାରିଥିବ 

ଅବିଶ୍ୱାସ ଡାଳରେ ବିଶ୍ବାସ ବସା ବାନ୍ଧି

ଫେରାର ଥିବା ପକ୍ଷୀର ଠିକଣା..!


ହୁଏତ ନିଜ ପୃଥ୍ବୀ ବିଦାରି 

ତା' ଭିତରେ ପାଣି ନୁହେଁ ଅମୃତ ଟୋପେ ଖୋଜୁଥିବା ବାଟୋଇଙ୍କୁ 

ମିଳି ସାରିଥିବ ଦେଶଦ୍ରୋହ ଉପାଧି

ଯେଉଁ ଆଞ୍ଜୁଳାଏ ଲବଣ ପାଇଁ ଏ ଯାତ୍ରା ଏତେ ଫନ୍ଦି ଫିକର 

ହୁଏତ ତା' ପାଇଁ ସମୁଦ୍ର ମନ୍ଥିତ ହୋଇ

ଅସହାୟ ଗରିବ ପରି ଶୋଇଥବ ବେଳାଭୂମି ବାଲିରେ..!!


ତଥାପି କୁହୁଡି ବର୍ଷାରେ ଅନବରତ ଚାଲିଥିବ

କାହାଣୀ ର ଦୃଶ୍ୟ ଅଦୃଶ୍ୟ ଖୋଜ୍ 

ପାଦର ଅହଂକାର ଟିକକ ଅକ୍ଷତ ପାଇଁ 

ସମ୍ପର୍କ ସେତୁବନ୍ଧ ବାଲିରେ ସାଉଁଟୁଥିବୁ ପଦଚିହ୍ନ

ପୋଡ଼ା ଛାତିର ବିଂଦୁଏ ମଣିଷତ୍ୱ 

ଜୀବସାର ହୋଇ ବୋହୁଥିବ କା' କବିତା ଶିରା ପ୍ରଶିରାରେ..!!


ଏତେ ପରେ କିନ୍ତୁ କେହି ଯଦି 

ମୋହ, ବିବଶ ଅବା ଦୟା-ପରବଶ ଫେରିଆସେ 

ଅସମ୍ପୂର୍ଣ୍ଣ ଅଲେଖା ପୃଷ୍ଠାଟି ରକ୍ତ ଅବା ମହୁରେ ଲେଖିବାକୁ

ମୁଁ ମୁକ୍ତ କଣ୍ଠରେ ଘୋଷଣା କରିବି 

କବିତା'ର ଏ ପ୍ରାୟୋଜିତ ଆଲୋଚନା ଏବେ ତୁମ ପାଇଁ ନୁହେଁ ,

ପଥିକ..! ଯାଅ ଫେରି ସେ ଅଫେରା ପଥରେ ,

ଏ କବିତା କେବଳ ତା' ପାଇଁ 

ଯା' କାରୁଣିକ ମୁହଁରେ ହରଦମ୍ ବଢିବାକୁ ଉଛୁର ଖରା ଆଉ ନଈ ,

ତା' ନିଜ ପୃଥ୍ବୀ ପାଇଁ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics