ଅଫେରା ଅଭିମନ୍ୟୁ
ଅଫେରା ଅଭିମନ୍ୟୁ
ସମୟର ଚୋରାବାଲି ଏଠି
ଆସିବାର ପାଦ ଚିହ୍ନ ଖାଲି
କବାଟରେ କୋଲପ ଝୁଲୁଛି
ଭାବୁଛି ଲେଉଟିବି ବୋଲି।।
ଶୁଖିଲା ଗୋବର ଗୋଇଠି
ଜଳେଇଲେ ଧୂଆଁ ତ ଉଡିବ
ଜଳିବା ସରି ଗଲା ପରେ
ଦେହେ ଦେହେ ନିଆଁ ଶୋଇଥିବ।
ଅଟକିଛି ଛାତିରେ ମୋ ରକା
ନିଃଶ୍ବାସ ନେବାକୁ ଲାଗେ ଡର
ଜୀବନଟା ଆପଣାର ବୋଲି
ନିଃଶ୍ବାସ ର ଆଜି ଦରକାର।
ଗରମ ପାଣିରେ କେବେ ହେଲେ
ଘର ଜଳେନାହିଁ ଜାଣେ ବୋଲି
ପିଇବି କି ଗରମ ଚାଆ ଝଅଟ
ଜିଭରେ ଫୋଟକା ହେବ ଖାଲି।
ଚିତ୍ର ତୁମେ ଆଙ୍କି ଦେଖାଇଲ
ତପନର ଅରୁଣ କିରଣ
ଜାଣିବି କେମିତି କୁହ ଏହା
ଉଦୟ କି ଅସ୍ତ ର ଚିତ୍ରଣ।
ଅଭିମନ୍ୟୁ ଲେଉଟେନା କେବେ
ଚକ୍ରବିହ୍ଵ ବାହାନା ତ ମାତ୍ର
ମୃତ୍ୟୁ ପରେ ବଞ୍ଚିବାର ରାହା
ଜୀବନ ଠୁଁ ବହୁ ପରିବ୍ୟାପ୍ତ।