ଅପେକ୍ଷା
ଅପେକ୍ଷା
ଅପେକ୍ଷା ଏମିତି ଗୋଟାଏ ତ ଶବ୍ଦ
ତାକୁ ଭୁଲି ଥାଏ କିଏ
କହି କି ପାରିବ ବିନା ଅପେକ୍ଷାରେ
ଏମିତି ରହିଛି କିଏ ।
ଯାହାକୁ ଯେଉଁଠି ସାକ୍ଷାତ୍ ଯେ କରେ
ଅପେକ୍ଷାରତ ସେ ଥାଏ
ବାରମ୍ବାର ଖାଲି ଘଣ୍ଟା ଦେଖୁ ଥାଏ
ବ୍ୟସ୍ତ ବି ବହୁତ ହୁଏ ।
ଅପେକ୍ଷାର ଫଳ ବହୁତ ତ ମିଠା
ଏ କଥା କହନ୍ତି ସବୁ
ହେଲେ ସହିବାର ଶକ୍ତି ଯାର ଥାଏ
ପାଏ ସେ ମିଠା ଫଳକୁ ।
କେଶକୁ ନ ବାନ୍ଧି ପତ୍ନୀ ଯାଜ୍ଞସେନୀ
ଅପେକ୍ଷା କରିଣ ଥିଲେ
ସତ୍ୟ ଧର୍ମ ପଥେ ରହିଣ ପାଣ୍ଡବେ
ଶେଷେ ବିଜୟ ହୋଇଲେ ।
ଦୁଃଶାସନ ବାହୁ କରି ଉତ୍ପାଟନ
ଭୀମ କେଶ ପଖାଳିଲେ
ଅପେକ୍ଷାଟି ତାଙ୍କ ଅନ୍ତ ଘଟି ଥିଲା
ରାଜ୍ୟକୁ ଫେରି ପାଇଲେ ।
ବର୍ଷ ସାରା ପିଲା ପାଠ ପଢୁଥାଏ
ଫଳକୁ ଅପେକ୍ଷା କରେ
ପରୀକ୍ଷାର ଫଳ କେତେ ମିଠା ଖଟା
ସେତେବେଳେ ଜାଣି ପାରେ ।
ଯିଏ ଯେଉଁ ଆଡେ ଯାଉ ନା କାହିଁକି
ଫେରିବା ଅପେକ୍ଷା କରେ
ଲେଉଟାଣି ବେଳ ହେଇଯାଏ ଯେବେ
ମନଟି ଘରକୁ ଧରେ ।
ବସାରେ ଛୁଆକୁ ଛାଡି ଦେଇ ମାଆ
ଖାଦ୍ୟ ଅନ୍ବେଷଣେ ଯାଏ
ମାଆର ଫେରିବା ବାଟକୁ ଅପେକ୍ଷା
ଛୁଆ କରି ରହିଥାଏ ।
ପରିବାର ପୋଷିବାର ପାଇଁ ପିତା
ଚାଲି ଯାନ୍ତି ଦୂର ଦେଶେ
ପିତାଙ୍କୁ ଅପେକ୍ଷା କରିନ୍ତି ସମସ୍ତେ
ଥାଆନ୍ତି ମନ ଉଲ୍ଲାସେ ।
ଜୀବନ ସଂଘର୍ଷେ ଏଇତ ମଣିଷ
ଅପେକ୍ଷା କରିଣ ରହେ
କେତେବେଳେ ସିଏ ଖୁସିକୁ ମନାଏ
କେତେବେଳେ ଭିଜେ ଲୁହେ ।
ଦୁଃଖ ପରେ ସୁଖ ଏଇତ ଜୀବନେ
ଏମିତି ଆସୁଣ ଥାଏ
ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ
ଅପେକ୍ଷା କରି ସେ ଥାଏ ।
ଜନମ ହୋଇଲେ ମରଣ ବି ଥାଏ
ନା ସେ ଅପେକ୍ଷା କରେ
କାଳ ଯେବେ ଗ୍ରାସ କରିବାକୁ ଆସେ
ଅପେକ୍ଷାଟା ବୃଥା ହୁଏ ।
ଅପେକ୍ଷାର ଦ୍ବାହି ଦେଇ ଏ ମଣିଷ
ସମୟ ନଷ୍ଟ କରନା
ପାପ ପୁଣ୍ୟ ଧର୍ମ ଅଧର୍ମକୁ ଚିନ୍ତି
କର୍ମକୁ କେବେ ଛାଡନା ।
ଅପେକ୍ଷା ଏମିତି ଗୋଟିଏ ତ ଶବ୍ଦ
ରହିଲେ ସେ ରହି ଥିବ
ଅପେକ୍ଷାର ଆଳେ କର୍ମକୁ ଛାଡନା
ଚିର ସାଥି ହେଇ ଯିବ ।
