ଅନ୍ୟମନସ୍କ
ଅନ୍ୟମନସ୍କ
ଦୁର୍ଲଭ ଜନମ ମଣିଷ ଜୀବନ
ମନୋଭୂମି ଜ୍ଞାନ ପ୍ରଭା ବିଭବ
ହୃଦୟ ଭୂମିର ସ୍ୱଚ୍ଛ ଅଳିନ୍ଦରେ
ବିଶ୍ୱାସ ର ସ୍ଵଚ୍ଛ ସୁନ୍ଦର ଭାବ ।
ଅନ୍ୟମନସ୍କତା ଅସାମଞ୍ଜସ୍ୟତା
ସଦ୍ଭାବନା କ୍ଷେତ ଉଜାଡି ଦିଏ
ଅନ୍ୟ ମନସ୍କତା ଭାବ ଅସ୍ଥିରତା
ଚିନ୍ତା ଓ ଚେତନା ବିକ୍ଷିପ୍ତ ହୁଏ ।
ବିଚାରଧାରାର ବ୍ୟତିକ୍ରମ ସ୍ରୋତ
ସଫଳ ଧାରାର ନିଷ୍କ୍ରିୟ ରାଗ
କ୍ଷୁଦ୍ର କର୍ମ ଠାରୁ ବୃହତ୍ କର୍ମରେ
ମନ ଗହନର ରାଗ ବିରାଗ ।
କର୍ମ ନିସ୍ପୃହତା ଦିଗ୍ ଭ୍ରଷ୍ଟ କବିତା
ସଂଯମ ସ୍ରୋତର ଭ୍ରାନ୍ତ ଚାଳିଶା
ଅନ୍ତଃକରଣ ର ଅପ୍ରାପ୍ତ ସଂହିତା
ଅସ୍ପଷ୍ଟ ଗନ୍ତବ୍ୟ ଖାଲି ନିରାଶା |
ଶୁଦ୍ଧ ଚିନ୍ତାଧାରା ବିକାଶ ଧାରାରେ
କର୍ମ ଚେତନାର ଅମେଳ ସୁର
ଲକ୍ଷ୍ୟଭ୍ରଷ୍ଟ ତିକ୍ତ ଅନୁଭୂତି ଖଳା
ଜୀବନ ହୁଏ ବେଦନା ବିଧୁର ।
ରୋଷେଇ ଘର ଠୁ ଯୁଦ୍ଧ କ୍ଷେତ୍ର ଯାଏ
ମନସ୍କତା ଖୋଜେ ସୁ-ସମ୍ଭାଷଣ
ଅନ୍ୟମନସ୍କତା ଅଶାନ୍ତିର ଡେରା
ଜୀବନଟା ହୁଏ ଅତି ନଗନ୍ୟ ।
ଭକତି ଭାବନା ମୋହମାୟା ତ୍ୟାଗ
ଆଧ୍ୟାତ୍ମବାଦର ସ୍ୱକୀୟ ପୀଠ
ଭାବ ଅସ୍ଥିରତା ଭଙ୍ଗ କରେ ସତ୍ତା
ବାସନା ଜାଗ୍ରତ ବିଚାର ଶଠ ।
ସୃଜନୀ ଧାରାରେ ଆବେଗର ଛିଟା
ଚିନ୍ତନ ହଜାଏ ଅମୃତ ଧାରା
ଶବଦ ସିଦ୍ଧାନ୍ତ ସୃଷ୍ଟିର ମହତ୍ତ୍ୱ
ବିଜ୍ଞାନ ସିଦ୍ଧାନ୍ତ ରହେ ଅଧୁରା ।
ନିଶାସକ୍ତ ମନ ମନସ୍କତା ହୀନ
ଯାନ ବାହନର ଗତି ସ୍ଖଳନ
ଶତ ପ୍ରାଣ ହାନି ସନ୍ତାପ ଦାୟିନୀ
ନିର୍ବାପିତ ହୁଏ ହୃଦ ସ୍ପନ୍ଦନ |
ମୋବାଇଲ ପ୍ରୀତି ଆଣଇ ଦୁର୍ଗତି
ସୀମା ସରହଦ ପାରି ହୋଇଲେ
ବିଚ଼ଳିତ ଭାବ ଭୁଲଇ ସଦ୍ ଭାବ
ମହାବିଷ୍ଟ ହୋଇ ସମ୍ପର୍କ ଝୁଲେ ।
ସମ୍ଭାବନା ପୀଠେ ନିରାଶାର ସ୍ରୋତ
ଆତ୍ମ ପ୍ରଗତିରେ ଚ଼ରମ ବାଧା
ପ୍ରତିଟି ପାଦ ଯେ ସ୍ଵ-ଛନ୍ଦ ହରାଏ
ଅସଫଳତାର ଗଣ୍ଠିରେ ବନ୍ଧା |
ମନସ୍କତା ହେଉ ଜୀବନ ଧାରାରେ
ଅମଳିନ ଜ୍ୟୋତିର୍ମୟ ବର୍ତ୍ତିକା
ଅନ୍ୟମନସ୍କତା ଛନ୍ଦ ହଜିଯାଉ
ଜୀବନଟା ହେଉ ପ୍ରୀତି ବାଟିକା ।
