ଅନୁତାପ
ଅନୁତାପ
ତୁମେ ଥରୁଟିଏ ଫେରିଆସ,
ଦେଖିଯାଅ ମୋର ମନ ଦିଗବଳୟର
ଫିକା ଇନ୍ଦ୍ରଧନୁକୁ!
ହତାଶର ଅବହାଓ୍ଵା ଭିତରେ
ମୁଁ କେମିତି ଜିଇଁଛି।
ଭୂଲି ମୁଁ ଯାଇଛି ଦିନରାତି ର ବ୍ୟବଧାନ
ଉଜାଗରେ ରାତିବି କରୁଛି ହଜାର ଉପହାସ
ଡାଏରୀର ସବୁ ପୃଷ୍ଠା ସରିଯାଇଛି
କଇଁକୁ ନପାଇ ଜହ୍ନ ବି ମନ ମାରିଛି ।
ଫୁକିଆ ତାରାର ବି ଦେଖାନାହିଁ
ତୂଠପଥର ଖୋଜୁଛି ସେ କଅଁଳ ପାଦ
ବାସ ହରା ଆଜି ଠାକୁର ଘରର ଚନ୍ଦନ କାଠ
ଦରପୋଡା ସବୁ ସଞ୍ଜବତୀ
ଝାଉଁଳି ଯାଇଛି ଚଉରାର ତୁଳସୀ ।
ଫୁଲଗଛର ବି ଭାରି ଅଭିମାନ
ମହୁମାଛି ଗାଉଛି ନୀରବ ଗଜଲ
ବଉଳା(ଗାଈ) ଆଖିରେ ବି ଲୁହ
ତୋରାଣି ମୁନ୍ଦାର ବି ,ନାହିଁ ସ୍ଵାଦ ।
ଚୁଲି ମୁଣ୍ଡ ଟି ବି ନୁଖୁରା ପଡ଼ିଛି
ଦେଇପିଣ୍ଡିଟା ଖତେଇ ହେଉଛି,
ତୁମ ଅଳତା ବୋଳା ପାଦ ଚିହ୍ନକୁ
ମୁଁ ସେମିତି ଘୋଡେ଼ଇ ରଖିଛି,
ଶଙ୍ଖାରୀ ବୁଢାଟା ମାନ ମାରିଛି ।
ତୁମ ବୁଣା ମଫଲରରେ ମୋ ନାଁ ଲିଭିଲାଣି
ପୁଣି ନୀଳଧୋତିରୁ ମୋ ରଙ୍ଗ ଗଲାଣି
ଏ ପରାଣ ଏ ଘର, ଝୁରି ହେଉଛି
ଫେରି ଆସ ତୁମେ,ଲୁହ ଝରୁଛି ।
ବୁଝୁଛି ବୁଝିବି ସଦା ଭାଷା ସିନ୍ଦୂରର
ଅନୁତାପ ଦାବାନଳୁ ତୁମେ କର ଉଦ୍ଧାର ।