ଅନୁତାପ
ଅନୁତାପ
ଭୁଲ କରିବାଟା ହୁଏତ
ହୋଇପାରେ ସ୍ବାଭାବିକ
ଅବା ଗତାନୁଗତିକ ,
କେତେବେଳେ ଜାଣତରେ
ଅବା କେତେବେଳେ ଅଜାଣତରେ
କେତେବେଳେ ଲକ୍ଷ୍ୟରେ
ଆଉ କେତେବେଳେ ଅଲକ୍ଷ୍ୟରେ ।
ମାତ୍ର ଅନୁତାପ ସ୍ବର୍ଗୀୟ ।
ଚିରାଚରିତ ନ ହେଲେ ବି
ନିହାତି ସ୍ବତନ୍ତ୍ର ଆଉ
ହୋଇପାରେ ବିବେକାନୁମୋଦିତ ମଧ୍ୟ ।
ଅନୁତାପ ଜାଳିପାରେ
ଜଳାଇବି ପାରେ ନିର୍ଜନ ଦ୍ବୀପରେ,
ଅନୁତାପ ଭାଙ୍ଗିପାରେ
ଦମ୍ଭର ସଶକ୍ତ ପ୍ରଚୀର,
ଅନୁତାପ ବି ଭାସିପାରେ
ବୁନ୍ଦା ବୁନ୍ଦା ଲୁହର ଢେଉରେ,
କେଉଁଠି ନା କେଉଁଠି
କେତେବେଳେ ରୂପାନ୍ତରିତ ବି
ହୋଇପାରେ ମହନୀୟ କ୍ଷମାରେ ।
ଅନୁତାପର ସ୍ଵର୍ଗୀୟ ଅଭାରେ
ବାଟ ମିଳେ ଅନ୍ଧାରରେ ,
ପଥରରେ ଫୁଟିଫାରେ ଫୁଲ,
ପୁନର୍ଜନ୍ମ ହୋଇପାରେ ଅହଲ୍ଯାର
ଶାପମୁକ୍ତ ହୋଇପାରେ ପୁନଶ୍ଚ ।
ଅନୁତାପର ନିଆଁ ଏତେ ପ୍ରଖର ଯେ
ପୋଡି ଦେଇପାରେ ହାତ ମୁଠାକୁ
ଶୀତଳ ବି କରିପାରେ
ବରଫର ଖଣ୍ଡ ଭଳି ଅନାୟସରେ ।
ଅନୁତାପର ଅଶ୍ରୁରେ
ଧୋଇ ହୋଇଯାଏ ପାପ ତାପ,
ନିଷିଦ୍ଧ ଫରୁଆରେ ସାଇତି ରଖିଥିବା
ଯେତେ ଅବାଂଛିତ ଓ ଅବିବେକୀ
ଅଦୂରଦର୍ଶୀ ଚିନ୍ତା ଓ ଚେତନା ।
ସତରେ ଅନୁତାପ ଏକ ଢଳ ଢଳ
ଶୀତଳ ଗଙ୍ଗାର ଜଢଳଢଳ ଜଳ
ଥରେ ଛୁଇଁ ଦେଲେ
ମହମହ ବାସୁଥାଏ ଜୀବନ
ନାଚୁଥାଏ ଗାଉଥାଏ ମଧୁର ଛନ୍ଦରେ ।।